ଦୁବାଇରୁ କାଠମାଣ୍ଡୁ ଯାଉଥିଲା ବିମାନ, ଲକ୍ଷ୍ନୌ ବିମାନବନ୍ଦରରେ ହେଲା ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ବିମାନବନ୍ଦରରେ ଶନିବାର ଏକ ଅନ୍ତର୍ଜାତୀୟ ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି। ଦୁବାଇରୁ ନେପାଳର କାଠମାଣ୍ଡୁ ଅଭିମୁଖେ ଯାଉଥିବା ‘ଫ୍ଲାଏ ଦୁବାଇ’ର ଏକ ବିମାନରେ ବୈଷୟିକ ସମସ୍ୟା ଦେଖାଦେବାରୁ ଏହାକୁ ଅଧାବାଟରେ ଅବତରଣ କରାଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବିମାନରେ ଇନ୍ଧନ କମ୍ ଥିବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଆଜି ସକାଳ ପ୍ରାୟ ୮ଟା ୨୨ ମିନିଟରେ ‘ଫ୍ଲାଏ ଦୁବାଇ’ର ବିମାନ ନମ୍ବର FZ-୧୧୩୩ ଲକ୍ଷ୍ନୌ ବିମାନବନ୍ଦରରେ ଓହ୍ଲାଇବା ସମୟରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ବିମାନରେ ମୋଟ ୧୫୪ ଜଣ ଯାତ୍ରୀ ଥିଲେ। ତେବେ ପାଇଲଟଙ୍କ ସୂଚନା ପରେ ବିମାନବନ୍ଦରରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଏବଂ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି। ବିମାନଟିର ଯାନ୍ତ୍ରିକ ଯାଞ୍ଚ କରାଯିବା ସହ ଇନ୍ଧନ ଭରିବା ପାଇଁ ବ୍ୟବସ୍ଥା କରାଯାଉଛି। ଏହି ଘଟଣା ପାଇଁ କାଠମାଣ୍ଡୁ ଯାଉଥିବା ଯାତ୍ରୀମାନେ କିଛି ସମୟ ପାଇଁ ହଇରାଣ ହୋଇଥିବା ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button