ବନ୍ୟା ଦାଉ: ଚାରିଆଡ଼େ ପାଣିର ରାଜୁତି

ଭୁବନେଶ୍ୱର: ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଏହାର ଶାଖା ନଦୀରେ ବନ୍ୟା ଆସିବା ଯୋଗୁଁ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବହୁ ଅଞ୍ଚଳ ପ୍ରଭାବିତ ହୋଇଛି। ଯେଉଁଠି ଚାହିଁଲେ ଖାଲି ପାଣି ଓ ପ।।ଣି। ଚାରିଆଡ଼େ ପାଣିର ରାଜୁତି। ବୈତରଣୀ ଉଛୁଳିବା ପରେ ଯାଜପୁରର ଦଶରଥପୁର, କୋରେଇ, ଯାଜପୁର ବ୍ଲକର ଏକାଧିକ ଗାଁରେ ପାଣି ପଶିଛି। ଭଦ୍ରକର ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲିର ଏକାଧିକ ଗାଁରେ କଲବଲ କରୁଛି ବୈତରଣୀ ପାଣି। କେନ୍ଦୁଝରର ତେଲକୋଇ, ହାଟଡିହି, ଆନନ୍ଦପୁର ଅଞ୍ଚଳରେରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ସୁବର୍ଣ୍ଣରେଖା ଜଳସ୍ତର ବଢ଼ିବା ପରେ ବାଲେଶ୍ୱରର ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ୱର ବ୍ଲକର ବହୁ ଗାଁରେ ବନ୍ୟା ଜଳ ପଶିଛି। ଜାମସୋଲାଘାଟରେ ବର୍ଷା ଲାଗି ରହିଥିବାରୁ ସୁବର୍ଣ୍ଣରେଖା ଆହୁରି ଫୁଲିବ ବୋଲି କୁହାଯାଉଛି। ତେବେ ବନ୍ୟା ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ରାଜ୍ୟ ସରକାର। ଚଳିତବର୍ଷ ବୈତରଣୀ, ସୁବର୍ଣ୍ଣରେଖାରେ ବାରମ୍ବାର ବନ୍ୟା ଆସି ଲୋକଙ୍କ ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି।
ଅନ୍ୟପକ୍ଷରେ ଚଳିତ ବର୍ଷ ବୈତରଣୀରେ ତୃତୀୟ ଥର ବନ୍ୟା ଆସିଥିବା ବେଳେ ଏଥର ରୁଦ୍ର ରୂପ ଧାରଣ କରିଛି । ବୈତରଣୀର ଶାଖା ନଦୀ କାଣୀ ନଦୀ କୂଳ ଖାଇ ବନ୍ଧ ଭାଙ୍ଗିଯାଇଛି । ସୁ ସୁ କରି ମାଡ଼ି ଆସିଛି ବନ୍ୟା ଜଳ । ଆଗରେ ଯିଏ ପଡ଼ିଲା ତାକୁ ଭସାଇ ନେଇଛି । ବୈତରଣୀରେ ଜଳସ୍ତର ବଢ଼ିବା ପରେ ଗତ ରାତି ପ୍ରାୟ ୪ଟା ସମୟରେ କସ୍ପା ପଞ୍ଚାୟତସ୍ଥ ଅହିୟାସ ବଜାର ନିକଟରେ ଥିବା ମୁସ୍ଲିମ୍ ସାହି ଠାରେ କାଣୀ ନଦୀ ବନ୍ଧରେ ୫୦ ଫୁଟ୍ର ଘାଇ ହୋଇଛି। ଫଳରେ ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ ଗାଁରେ ବନ୍ୟା ଜଳ ମାଡ଼ିଯାଇଛି। ଅହିୟାସ ବଜାରରେ ବନ୍ୟା ପାଣି ଲହଡ଼ି ଭାଙ୍ଗୁଥିବା ବେଳେ କାଟିଆ, ବୈଶପାନ ମୁଖ୍ୟ ରାସ୍ତାରେ ୪ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବ୍ୟାଘାତ ହେବା ସହ ଶତାଧିକ ଲୋକଙ୍କ ଘରେ ବନ୍ୟା ପାଣି ପଶିଯାଇଛି। ଘାଇ ନିକଟରେ ଥିବା ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ଘରର ଝରକ ପର୍ଯ୍ୟନ୍ତ ବନ୍ୟାପାଣି ବୁଡ଼ି ରହିଛି। ଲୋକେ ଜୀବନ ବିକଳରେ ଘରୁ ପଳାଇଆସି ନଦୀ ବନ୍ଧ ଓ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି। ଏହି ଘାଇ ଫଳରେ ବ୍ଲକର କସ୍ପା, ତରପଦା, ମଲ୍ଲିକାପୁର, କନିକାପଡ଼ା, ଛଚିଣା, ମଙ୍ଗଳପୁର, ଶୁଶୁଆ, ଦୁଦୁରାଅଣ୍ଟା, ନିଜାମପୁର, ଦତ୍ତପୁର, ଖାନନଗର, କମାରଡିହି, କୟାଁ ପ୍ରଭୃତି ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ ଗାଁ ବନ୍ୟା ପାଣି ପ୍ରବେଶ କରିଛି। ହଜାର ହଜାର ହେକ୍ଟର ଧାନ ଜମିରେ ବନ୍ୟା ପାଣି ମାଡ଼ିଯାଇଛି। ବନ୍ୟାଘେରରେ ଥିବା କଟିକଟା ତରେଇ ସାହିର ୭୦ବର୍ଷ ବୟଷ୍କା ଭାଗବତ ମାଝି ନାମକ ଜଣେ ବ୍ୟକ୍ତି ବୈତରଣୀ ନୀଦରେ ବନ୍ୟା ଶ୍ରୋତରେ ଭାସିଯାଇଥିଲେ। ଖବର ପାଇ ଦମକଳ ବାହିନି ସହ ଓଡ୍ରାଫ୍ ଟିମ୍ ଭାସିଯାଇଥିବା ଭାଗବତକୁ ନଦୀ ଗର୍ଭରୁ ଉର୍ଦ୍ଧାର କରିବା ପରେ ଜିଲ୍ଲା ସଦରମହକୁମା ଚିକିତ୍ସାଳୟକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘାଇ ହୋଇଥିବା ଖବର ପାଇ ଜିଲ୍ଳାପାଳ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଳାପାଳ ଶିବାନନ୍ଦ ସ୍ୱାଇଁ, ବିଡିଓ ଆକାଶ ପଟ୍ଟନାୟକ ପ୍ରମୁଖ ସେଠାରେ ପହଞ୍ଚିବା ସହ ପାଣିଘେରରେ ଥିବା ଲୋକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରୁଛନ୍ତି। ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟିକା ସୁଜାତା ସାହୁ, ଜିଲ୍ଳା ବିଜେଡ଼ି ସଭାପତି ସରୋଜ କୁମାର ମହାପାତ୍ର, ବିଜେପି ନେତା ଗୌତମ ରାୟ ପ୍ରମୁଖ ଘାଇ ଅଞ୍ଚଳ ପରିଦର୍ଶନ କରି ଲୋକମାନଙ୍କୁ ଉଦ୍ଧାର ସହ ରିଲିଫ୍ ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ସେହିପରି ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ୟା ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି। ଯାଜପୁର ଜଳ ସମ୍ପାଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳାଇ, ସହକାରୀ ଯନ୍ତ୍ରୀ ଅନ୍ତର୍ଯ୍ୟାମୀ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଅରୁଣ ତ୍ରିପାଠୀ ପ୍ରମୁଖ ବନ୍ୟା ପ୍ଲାବିତ ଦଶରଥପୁର ବ୍ଲକରେ ଡେରା ପକାଇ ବୈତରଣୀ ଓ କାଣୀ ନଦୀର ବନ୍ଧରେ ବିଭିନ୍ନ ସ୍ଥାନରେ ହୋଇଥିବା ଘୋଳିଆ ଗୁଡିକୁ ଯୁଦ୍ଧକାଳିନ ଭିତ୍ତିରେ ମରାମତି କରିବା ସହ ଦୁର୍ବଳ ସ୍ଥାନଗୁଡିକ ଉପରେନଜର ରଖିଛନ୍ତି।
ଅନ୍ୟପକ୍ଷରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ବ୍ରାହ୍ମଣୀ ସତର୍କ ସଂକେତ ଉପରେ ରହିଥିବା ବେଳେ ଆଖୁଆପଦାରେ ବୈତରଣୀ ସ୍ଥିର ରହିଛି। ରାଜଘାଟ, ମଥାନିରେ ସୁବର୍ଣ୍ଣରେଖା ସାମାନ୍ୟ ବିପଦ ସଂକେତ ଉପରେ ରହିଛି। ଯାଜପୁରର ସର୍ବାଧିକ ୪୬ ଗାଁ, ୧୪ ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ମନ୍ତ୍ରୀ କହିଛନ୍ତି। ଏହାଛଡ଼ା ଲୋକଙ୍କୁ ସମସ୍ତ ସେବା ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସୂଦ୍ଧା ବନ୍ୟା ଜନିତ ମୃତାହତ ଖବର ନାହିଁ। ବେଶି ସମୟ ପାଣିରେ ରୁହନ୍ତୁ ନାହିଁ, ସାପ ବିପଦ ରହିଛି। ଆଶ୍ରୟସ୍ଥଳୀକୁ ଆସିବାକୁ ଜନସାଧାରଣଙ୍କୁ ମନ୍ତ୍ରୀ ନିବେଦନ କରିଛନ୍ତି। ଏପରିକି ବନ୍ୟା ସମୟରେ ପୁଲିସକୁ ଘର ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ତୁରନ୍ତ କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦିଆଯାଇଛି। ପାଣି ଛାଡୁ ଛାଡୁ କ୍ଷତିପୂରଣ ମିଳିଯିବ ବୋଲି ମନ୍ତ୍ରୀ କହିଛନ୍ତି।
ତେବେ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ କାଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇକୁ ପାଣି କମିଲେ ମରାମତି କରାଯିବ। ହୀରାକୁଦରେ ୧୨ଟିଗେଟ ଦେଇ ଜଳ ନିଷ୍କାସନ ହେଉଛି। ୨.୧୧ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୨.୨୨ ଲକ୍ଷ କ୍ୟୁସେକ୍ ନିଷ୍କାସିତ ହେଉଛି। ରେଙ୍ଗାଳିରେ ୯୩% ପାଣି ଭରିବାରୁ ନଜରରେ ରଖାଯାଇଛି। ଦୁଇଟି ଗେଟ ଖୋଲା ଅଛି। ଆବଶ୍ୟକ ପଡ଼ିଲେ, ରେଙ୍ଗାଳିର ଆଉ ଏକ ଗେଟ ଖୋଲା ହେବ। ଗତକାଲି ସୁବର୍ଣ୍ଣରେଖା ବେସିନରେ ୧୭.୬୩ ମିମି ବର୍ଷା ହୋଇଛି। ଅନ୍ୟ କେଉଁଠି ୧୦ ମିମିରୁ ଅଧିକ ବର୍ଷା ହୋଇ ନଥିବାରୁ ଆଉ କେଉଁ ନଦୀରେ ବନ୍ୟା ନାହିଁ। ମୁଣ୍ଡଳୀଠାରେ ୧.୮୪ ଲକ୍ଷ ଜଳ ପ୍ରବାହିତ ହେଉଛି। ତେଣୁ ମହାନଦୀରେ ବନ୍ୟା ଅଛି। ସୁବର୍ଣ୍ଣରେଖା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହୋଇଛି। ବୈତରଣୀ ଯୋଗୁ ଯାଜପୁର ବ୍ଲକ, ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲାର ଧାମନଗର ପ୍ରଭାବିତ ହୋଇଛି।