ଅତ୍ୟାଧୁନିକ ସମନ୍ବିତ ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭୁବନେଶ୍ବର ଉପକଣ୍ଠ କୌଶଲ୍ୟାଗଙ୍ଗ ସରକାରୀ ମାଛ ଉତ୍ପାଦନ ଫାର୍ମରେ ଏକ ଅତ୍ୟାଧୁନିକ ସମନ୍ବିତ ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କେନ୍ଦ୍ରରେ ମତ୍ସ୍ୟଚାଷୀ, ଉଦ୍ୟୋଗୀ ଏବଂ ମତ୍ସ୍ୟ ଅଧିକାରୀମାନଙ୍କୁ ଉନ୍ନତ ମତ୍ସ୍ୟ ପ୍ରଯୁକ୍ତିବିଦ୍ୟା ଓ ଆଧୁନିକ କୌଶଳ ବିଷୟରେ ପ୍ରଶିକ୍ଷଣ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ୍ ସୂଚନା ଦେଇଛନ୍ତି। ଫଳରେ ମାଛ ଉତ୍ପାଦନ ବହୁଗୁଣିତ ହେବା ସହ ମତ୍ସ୍ୟଚାଷୀଙ୍କ ଜୀବନ-ଜୀବିକା ଅଧିକ ସୁରକ୍ଷିତ ହୋଇପାରିବ ବୋଲି ସେ କହିଛନ୍ତି। ଏଥିପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ବାରା ୧ ହଜାର ୪୯୯ ଲକ୍ଷ ୭୨ ହଜାର ଟଙ୍କାର ପ୍ରଶାସନିକ ଅନୁମୋଦନ କରାଯାଇଛି। ଭୁବନେଶ୍ବରର ମେସର୍ସ ଏନପିସିସି ଲିମିଟେଡ ଏହି ତାଲିମ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ମଧ୍ୟରେ ଶେଷ କରିବ। ଏହି ତାଲିମ କେନ୍ଦ୍ରରେ ପ୍ରତି ବ୍ୟାଚରେ ୧୦୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାମିଲ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସାଂସଦ ସମ୍ବିଦ ପାତ୍ର ଓ ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।