ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ:୨୭ଟି ପ୍ରସ୍ତାବ ପାରିତ

ଭୁବନେଶ୍ବର: ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଦିତ ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା  ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମରେ ଶ୍ରଦ୍ଧା ସୁମନ ଅର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଗାନ ପରେ ବୈଠକ ଆରମ୍ଭ ହୋଇଥିଲା।ଏହାପରେ କାର୍ୟ୍ୟକାରିଣୀରେ ବିଭିନ୍ନ ଏଜେଣ୍ଡା ଉପରେ ଦଳର ବରିଷ୍ଠ ଉପ-ସଭାପତି ପ୍ରସନ୍ନ ଆଚାର୍ୟ୍ୟଙ୍କ ଅଭିଭାଷଣ ରଖିଥିଲେ । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଂଚାଳନାରେ ପ୍ରଥମେ ସାଂଗଠନିକ ପ୍ରସ୍ତାବ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଆଗତ କରିଥିଲେ । ବିଧାୟିକା ଲତିକା ପ୍ରଧାନଙ୍କର ସମର୍ଥନ ପରେ ଏହା ସର୍ବସମ୍ମତ କ୍ରମେ ପାରିତ ହୋଇଥିଲା । ଏହାପରେ ୧୧ଟି ରାଜନୈତିକ ପ୍ରସ୍ତାବ ଓ ୧୬ଟି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଥିଲା ।
୨୦୦୦ ମସିହାରୁ ବିଭିନ୍ନ ବିଧାନସଭା, ଲୋକସଭା, ନିର୍ବାଚନ, ଉପ ନିର୍ବାଚନ, ସମବାୟ ନିର୍ବାଚନ ବିଶେଷ କରି ପଂଚାୟତ ଓ ପୈାର ନିର୍ବାଚନରେ ବିଜୁ ଜନତା ଦଳର ଲଗାତାର ବିଜୟ ପାଇଁ ଓଡିଶାର ଜନ ସାଧାରଣଙ୍କୁ ଦଳ ପକ୍ଷରୁ କୃତଜ୍ଞତା ଅର୍ପଣ କରାଯାଇଥିଲା । କୋଟି ଓଡିଆଙ୍କର ହୃଦୟର ନେତା ବିଜେଡିର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ନେତୃତ୍ୱ ଲଗାତର ଭାବେ ଆମର ଆଂଚଳିକ ଦଳକୁ ବିପୁଳ ସଫଳତା ଆଣି ଦେଇଥିବାରୁ କାର୍ୟ୍ୟକାରିଣୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲା । ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ତଥା ଅଭିନବ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ରୂପାୟନ ପାଇଁ ତଥା ଓଡିଶାର ବିଭିନ୍ନ ପ୍ରାନ୍ତରେ ଯଥା ଶ୍ରୀ ଲିଙ୍ଗରାଜ, ମା ସମଲେଇ, ତାରାତାରିଣୀ ସହିତ ବିଭିନ୍ନ ଉପାସନା ପୀଠ ଓ ଐତିହ୍ୟର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ନେଇଥିବା ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
କ୍ରୀଡା ଭିତିଭୂମିର ବିକାଶ ଏବଂ ଆଇଟି କ୍ଷେତ୍ରରେ ଦୃତ ବିକାଶ କରି ଯୁବଶକ୍ତିର ଆକଂକ୍ଷାକୁ ପୂରଣ କରିବା ପାଇଁ ନବୀନ ସରକାର ନେଇଥିବା ବଳିଷ୍ଠ ପଦକ୍ଷେପକୁ କାର୍ୟ୍ୟକାରିଣୀରେ ପ୍ରଶଂସା କରାଯାଇଥିଲା । ଚାଷୀ ଓ ଚାଷର ଉନ୍ନତି ତଥା ଜଳସେଚନର ଅଭିବୃଦ୍ଧି ନବୀନ ସରକାରଙ୍କ ପ୍ରାଥମିକତା ଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

Related Articles

Leave a Reply

Your email address will not be published.

Back to top button