ବେଆଇନ ବାଣ କାରଖାନାରେ ବିସ୍ଫୋରଣ: ଜଣେ ମୃତ

ଭୁବନେଶ୍ବର: ବାଲିପାଟଣାରେ ବେଆଇନ ବାଣ କାରଖାନାରେ ବିସ୍ଫୋରଣ । ଏହି ବିସ୍ଫୋରଣ ଯୋଗୁଁ ଜଣେ ମୃତ୍ୟୁବରଣ କରିଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କୁ ଅଭିନା କାଣ୍ଡି ବୋଲି ଚିହ୍ନଟ କରାଯାଇଛି । ତିନି ଗୁରୁତରଙ୍କୁ ମୁନା ଭୋଇ, ପ୍ରମୋଦ ସାହୁ ଓ ରମେଶ ତିଆଡି ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ନରିଶୋରେ ବେଆଇନ ଭାବେ ଚାଲିଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଖବର ପାଇ ନିଆଳି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳରୁ ଜଣଙ୍କର ମୃତଦେହ ଉଦ୍ଧାର କରିଥିବା ବେଳେ ତିନି ଗୁତୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ଅଗ୍ନିଶମ ବାହିନୀ । ସକାଳେ ବନମାଳୀପୁର ଫାଣ୍ଡି ପୋଲିସ ଓ ସାଉଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାଣ କାରଖାନାରେ ବିସ୍ଫୋରଣ ଫଳରେ ନିକଟରେ ଥିବା ଘର ମଧ୍ୟ ଭାଙ୍ଗିରୁଜି ଯାଇଛି । ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏହା ବାଣ ନୁହେଁ, ବୋମା ଭିଡ଼ିବାବେଳେ ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି ।



