ଚୌଦ୍ୱାର ଜେଲ୍ ରୁ ଫେରାର୍: ଉତ୍ତରପ୍ରଦେଶର ବୃନ୍ଦାବନରୁ ଗିରଫ

ଭୁବନେଶ୍ବର: କଟକ ଚୌଦ୍ବାରସ୍ଥିତ ରାଜ୍ୟର ସର୍ବବୃହତ୍ ମଣ୍ତଳ କାରାଗାରରୁ ଫେରାର ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରୁ ଜଣକୁ ଓଡ଼ିଶା ପୁଲିସ ଉତ୍ତରପ୍ରଦେଶର ବୃନ୍ଦାବନରୁ ଗିରଫ କରିଛି। ଓଡ଼ିଶା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ବୃନ୍ଦାବନର ଏକ ମଠରୁ ଅଭିଯୁକ୍ତ ମଧୁକାନ୍ତ କୁମାରକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ରାଜା ସାହାଣୀକୁ ଖୋଜୁଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଗତବର୍ଷ ଅକ୍ଟୋବର ୨ତାରିଖରେ ବିହାରର ମଧୁକାନ୍ତ କୁମାର ଓ ରାଜା ସାହାଣୀ ପାଚେରି ଡେଇଁ ଚମ୍ପଟ ମାରିଥିଲେ। ଉଭୟ ଦଶହରାର ସୁଯୋଗ ନେଇ ଚାଞ୍ଚଲ୍ୟକର ଢଙ୍ଗରେ ଏଭଳି କାଣ୍ଡ କରିଥିଲେ। ୨୦୨୫, ଜାନୁଆରି ୪ ତାରିଖରେ ଯାଜପୁରଜିଲ୍ଲା ପାଣିକୋଇଲିରେ ଥିବା ପଣ୍ତା ଅଳଙ୍କାର ଲୁଟ୍ ଓ ୨ଜଣଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା ଘଟଣାରେ ଗିରଫ ହୋଇଥିଲେ ଏହି ଦୁଇ ବିହାରୀ ଅପରାଧୀ। ସେମାନେ ଯାଜପୁର ରଗଡ଼ି ଜେଲ୍‌ରେ ଥିଲା ବେଳେ ଅଧିକ ସୁରକ୍ଷା ଦୃଷ୍ଟିରୁ ୮ ମାସ ତଳେ ତାଙ୍କୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଚୌଦ୍ବାର ଜେଲର ଦୁଇଟି ସ୍ବତନ୍ତ୍ର ସେଲ୍‌ରେ ସେମାନଙ୍କୁ ରଖାଯାଇଥିଲା। ପୂର୍ବରୁ ମଧ୍ୟ ଏହି ଦୁଇଜଣ ଜେଲରୁ ଖସିଯିବା ପାଇଁ ଯୋଜନା କରୁଥିବା ବେଳେ ପାଖରେ ରଖିଥିବା ଏକ ଆରି ପାତକୁ ଜେଲ୍‌ କର୍ତ୍ତୃପକ୍ଷ ଜବତ କରିଥିଲେ। ଘଟଣା ଦିନ ଜେଲ୍‌ ପରିସରରେ ଦଶହରା ପୂଜାକୁ ନେଇ ପାର୍ବଣ ଉତ୍ସବ ଜମିଥିବା ବେଳେ ଦୁଇଜଣଯାକ ଦୁଇଟି ସେଲ୍‌ର ଲୁହା ରଡ୍‌କୁ କାଟି ପାଚେରି ପାଖକୁ ଯାଇଥିଲେ। ଜେଲ୍‌ରୁ ମିଳିଥିବା କମ୍ବଳ, ବେଡସିଟ୍ ଓ ନିଜର ପିନ୍ଧା ପ୍ୟାଣ୍ଟ୍ ସାହାଯ୍ୟରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଦଉଡ଼ିରେ ଏକ କାଠଫାଳିଆ ସାହାଯ୍ୟରେ ପାଚେରି ଡେଇଁ ପଳାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା। ‌ଦୁଇ ଅପରାଧୀ ଫେରାର ପରେ ତତ୍‌କାଳୀନ ଜେଲ ଡିଜି ସୁଶାନ୍ତ କୁମାର ନାଥ, କଟକ ଡିସିପି ଖିଲାରି ଋଷିକେଶ ଦ୍ୟାନଦେଓ, ଚୌଦ୍ବାର ଥାନା ଭାରପ୍ରାପ୍ତ ଅଧିକାରୀ ଦୀପକ କୁମାର ଖଣ୍ତାୟତରାୟ ଜେଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button