୩ ଅପରାଧୀଙ୍କୁ ଏନ୍କାଉଣ୍ଟର୍

ଭୁବନେଶ୍ବର: ରାଉଲକେଲାରେ ଦୁର୍ଦ୍ଦାନ୍ତ ଡ଼କାୟତ ଗ୍ୟାଙ୍କକୁ ଧରିବାରେ ସଫଳ ହୋଇଛି ରାଉରକେଲା ପୋଲିସ । ସୁନ୍ଦରଗଡ଼ କୁଚେଇତା ଓ ଲାମ୍ଫସୀ ନିକଟରେ ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍କାଉଣ୍ଟର୍ କରି ଧରିଛି। କୁଚେଇତା ନିକଟରେ ୨ ଜଣ ଓ ଲାମ୍ଫସୀ ନିକଟରେ ଜଣଙ୍କୁ ଏନକାଉଣ୍ଟର୍ କରି ଧରିଲା ପୋଲିସ। ଏନକାଉଣ୍ଟରରେ ଆହତ ୩ ଅପରାଧୀଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍ର ସ୍ୱତନ୍ତ୍ର ଟିମ୍କୁ ଚକ୍ମା ଦେଇ ଫେରାର୍ ବେଳେ ଏନ୍କାଉଣ୍ଟର୍ କଲା ରାଉରକେଲା ପୋଲିସ। ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍କାଉଣ୍ଟର୍ କରିବା ସହ ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଜଣଙ୍କୁ ମଧ୍ୟ ଗିରଫ କରିଛି । ବଣାଇ, କୋଇଡା ଏବଂ ବରସୁଆଁରେ ଘଟିଥିବା ବଡ଼ ଚୋରି ମାମଲାରେ ଏହି ଅପରାଧୀମାନେ ସମ୍ପୃକ୍ତ ଥିଲେ। ଘଟଣାସ୍ଥଳରେ ଡ଼କାୟତି ମାନଙ୍କ ପାଖରୁ ଘଟଣାରେ ବ୍ୟବହୃତ ୩ଟି ପିସ୍ତଲ୍ ଓ ଗୋଟିଏ ବାଇକ୍ ଜବତ କରିଛି ପୋଲିସ । ସୂଚନାଯୋଗ୍ୟ, ଗତ ୨୦ ତାରିଖ ରାତିରେ କୋଇଡା ଅଞ୍ଚଳର ଏକ ପରିବହନ କାର୍ଯ୍ୟାଳୟରୁ ହୋଇଥିବା ୩ ଲକ୍ଷ ଟଙ୍କା ଡକାୟତରେ ଏମାନେ ସାମିଲ ଥିଲେ। ଏହା ସହ କୋଇଡ଼ା ରେଙ୍ଗାଲବେଡ଼ାରେ ଦୁଇ ଗାଡ଼ି ମାଲିକଙ୍କୁ ବନ୍ଧୁକ ଦେଖାଇ ୪ ଲକ୍ଷ ଲୁଟିନେଇ ଚମ୍ପଟ ମାରିଥିଲେ। ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ସାଇଡିଂ ନିକଟସ୍ଥ ବିଏନ୍ଆର୍ ଟ୍ରାନ୍ସପୋର୍ଟ ଅଫିସ୍ରେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକଦେବା ସହ ୩ ଲକ୍ଷ ୫୯ ହଜାର ଟଙ୍କା ଧରି ଫେରାର ହୋଇଯାଇଥିଲେ।



