୧୧୩୪ଟି ପଦ ପାଇଁ ହେବ ଉପନିର୍ବାଚନ , ୭୭୧ଟି ୱାର୍ଡରେ ପଡିବ ଭୋଟ୍

ଭୁବନେଶ୍ବର: ସବୁ ଦଳ ପାଇଁ ପ୍ରଥମ ଏସିଡ ଟେଷ୍ଟ । ରାଜ୍ୟର ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ୧୧୩୪ଟି ପଦ ପୂରଣ ପାଇଁ ଉପନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରାଥମିକ ପଦକ୍ଷେପ । ସେଥି ମଧ୍ୟରୁ ୫ଟି ଜିଲ୍ଲା ପରିଷଦ ସଭ୍ଯ, ୪୧ଟି ପଞ୍ଚାୟତ ସମିତି ସଦସ୍ୟ, ୪୫ଟି ସରପଞ୍ଚ, ୨୭୨ଟି ୱାର୍ଡ ମେମ୍ବର ପାଇଁ ଉପନିର୍ବାଚନ ହେବ । ସେହିଭଳି ୭୭୧ଟି ୱାର୍ଡରେ ନୂତନ ଭାବେ ନିର୍ବାଚନ ହେବ । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷିତ ବର୍ଗ ପାଇଁ ଉଦ୍ଦିଷ୍ଟ ଥିବା ୭୭୧ଟି ୱାର୍ଡରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଉକ୍ତ ୱାର୍ଡ ଗୁଡିକରେ ନିର୍ବାଚନ ବନ୍ଦ ରହିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସଂପୃକ୍ତ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଉକ୍ତ ୱାର୍ଡଗୁଡ଼ିକୁ ଅଣସଂରକ୍ଷିତ କରାଯିବା ପରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସଚିବଙ୍କ ସୂଚନା ଅନୁଯାୟୀ, ଉକ୍ତ ୱାର୍ଡଗୁଡ଼ିକ ପାଇଁ ଅପ୍ରେଲ ୧୭ରୁ ୨୨ ତାରିଖ ମଧ୍ୟରେ ନିର୍ବାଚନ ଅଧିକାରୀମାନେ କେନ୍ଦ୍ର ନିର୍ବାଚନ ଆୟୋଗ ଦ୍ଵାରା ପ୍ରକାଶିତ ଭୋଟର ତାଲିକାରୁ ସମ୍ପୃକ୍ତ ୱାର୍ଡ ୱାରୀ ଭୋଟର ତାଲିକା ପ୍ରସ୍ତୁତ କରିବେ । ସେହିଭଳି ଅପ୍ରେଲ ୨୪ ତାରିଖରେ ସଂପୃକ୍ତ ଗ୍ରାମପଞ୍ଚାୟତ ମୁଖ୍ୟାଳୟରେ ୱାର୍ଡୱାରୀ ପ୍ରାଥମିକ ଭୋଟର ତାଲିକା ପ୍ରକାଶନ ହେବ । ଅପ୍ରେଲ ୩୦ ତାରିଖ ସୁଦ୍ଧା ଅଭିଯୋଗ ଗ୍ରହଣ କରାଯାଇ ମଇ ୨ରୁ ୫ ତାରିଖ ମଧ୍ୟରେ ସଂପୃକ୍ତ ଅଭିଯୋଗଗୁଡ଼ିକୁ ବିଚାରକୁ ନିଆଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ । ସଂଶୋଧିତ ଭୋଟର ତାଲିକାକୁ ନିର୍ବାଚନ ଅଧିକାରୀମାନେ ମଇ ୯ ତାରିଖ ଦିନ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବେ ।