ଖୁବଶୀଘ୍ର ସକାଳୁଆ ସ୍କୁଲ ! ଖରାକୁ ଦୃଷ୍ଟିରେ ରଖି ନିଆଯିବ ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ସକାଳୁଆ ହୋଇପାରେ ସ୍କୁଲ । ବଢୁଥିବା ଖରାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇପାରେ । କେବେ ଠାରୁ ସକାଳୁଆ ସ୍କୁଲ କରାଯିବ ସେଥିପାଇଁ ରାଜସ୍ୱ ବିଭାଗ ଓ ଅନ୍ୟାନ୍ୟ ବିଭାଗ ସହ ଆଲୋଚନା କରାଯିବ । ଏହାପରେ ଶୀଘ୍ର ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଆଗକୁ ସ୍ଥିତି କ’ଣ ହେବ ତା ଉପରେ ନଜର ରହିଛି। ତାତିର ପ୍ରକୋପକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ଘୋଷଣା କରାଯିବ। ଏମିତିରେ ପ୍ରତିବର୍ଷ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ କରିବା ନେଇ ନିଷ୍ପତ୍ତି ନେଇଥାନ୍ତି। ହେଲେ ସେସବୁ ଏପ୍ରିଲ-ମେଁ ମାସ ବେଳକୁ ହୋଇଥାଏ । ଅନ୍ୟପଟେ ଏପ୍ରିଲ ମେଁ ଠାରୁ ବି ଅଧିକ ଖରା ମାର୍ଚ୍ଚ ମାସରେ ଅନୁଭୂତ ହେଲାଣି। ତତଲା କଡେଇରେ ସିଝୁଛି ସାରା ଓଡ଼ିଶା । ଖରାର ଦାଉ ଏତେ ରହୁଛି ଯେ, ସକାଳ ୧୦ଟା ପରଠାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଦିନ ୧୧ଟା ୩୦ ସୁଦ୍ଧା ୩୭ ଡିଗ୍ରୀ ସହ ଝାରସୁହଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । କେନ୍ଦୁଝରରେ ୩୬.୪, ସମ୍ବଲପୁରରେ ୩୬.୨, ରାଉରକେଲାରେ ୩୫.୪ ଓ ହୀରାକୁଦରେ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଆହୁରି ୨ ଦିନ ଗ୍ରୀଷ୍ମ ପ୍ରବାହ। ଆଜି ଗ୍ରୀଷ୍ମ ଲହରୀ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।