ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ-ଚାଲାଣ

ଭୁବନେଶ୍ଵର: ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ଗାଡ଼ିରେ ପ୍ରଦ୍ୟୁଷଣ ପ୍ରମାଣପତ୍ରକୁ ନେଇ ଯାଞ୍ଚ କଡାକଡି କରାଯାଇଛି। ପ୍ରଦ୍ୟୁଷଣ ପ୍ରମାଣପତ୍ର ନିଥିବା ଗାଡିରେ ମୋଟା ଅଙ୍କର ଜରିମାନା ଲାଗୁଛି। ସେଥିପାଇଁ ବର୍ତ୍ତମାନ ସବୁଆଡେ ପ୍ରଦ୍ୟୁଷଣ ପ୍ରମାଣପତ୍ର ପାଇଁ ଲମ୍ବା ଲମ୍ବା ଧାଡ଼ି ଲାଗୁଛି। ତେବେ ଯେଉଁ ଗାଡ଼ିରେ ପୂର୍ବରୁ ଚାଲାଣ କଟିଛି, ସେହି ଗାଡ଼ି ଗୁଡିକୁ ପ୍ରଦ୍ୟୁଷଣ ପ୍ରମାଣପତ୍ର ମିଳିପାରୁନାହିଁ। ଯାହାଫଳରେ ଗାଡ଼ି ମାଲିକମାନେ ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି। ସେଥିପାଇଁ ଗାଡ଼ି ମାଲିକମାନେ ଅନଲାଇନ ମାଧ୍ୟମରେ ଚାଲାଣ ପୈଠ କରୁଛନ୍ତି। କିନ୍ତୁ ଅନେକ ଲୋକ ଅନଲାଇନ ମାଧ୍ୟମରେ ଚାଲାଣ ପୈଠ କରିବାରେ ଅସମର୍ଥ ହେଉଛନ୍ତି। କାରଣ କୌଣସି ଗାଡ଼ି ମାଲିକମାନଙ୍କ ପାଖରେ OTP ପାଇଁ ମୋବାଇଲ ନମ୍ବର ଅପଡେଟ ନାହିଁ ତ କୌଣସି ଗାଡ଼ି ମାଲିକମାନଙ୍କ ଅଞ୍ଚଳରେ ଦୁର୍ବଳ ଇଣ୍ଟରନେଟ ଯୋଗୁଁ ସମସ୍ୟା ବଢୁଛି। ତେବେ ଏସବୁର ସମାଧାନ ପାଇଁ ପରିବହନ ବିଭାଗ ପକ୍ଷରୁ ଜନସାଧାରଣଙ୍କ ସୁବିଧା ପାଇଁ ନଗଦ ଅର୍ଥ ଗ୍ରହଣ ବ୍ୟବସ୍ଥା କରାଯାଇଛି। ଏନେଇ RTOଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଭାବେ ଅଧିକାରୀଙ୍କୁ ଏହି ଦାୟିତ୍ଵ ଦିଆଯିବ। ସେଠାରେ ଗାଡ଼ି ମାଲିକମାନେ ନଗଦ ଅର୍ଥ ପ୍ରଦାନ କରି ଚାଲାଣ ପୈଠ କରିପାରିବେ।



