ବିଧାନସଭା ଭିତରେବାହାରେ ହାଇଡ୍ରାମା, ୧୨ କଂଗ୍ରେସ ବିଧାୟକ ନିଲମ୍ବିତ

ଭୁବନେଶ୍ୱର : ବିଧାନସଭାରେ ହଟ୍ଟଗୋଳକୁ ନେଇ ବଡ଼ ଆକ୍ସନ। କଂଗ୍ରେସର ୧୨ ବିଧାୟକ ନିଲମ୍ବିତ। ବିଧାନସଭାରେ ଯେଉଁ ପ୍ରତିବାଦ ତରିକାକୁ ନେଇ କଂଗ୍ରେସ ଗଣମାଧ୍ୟମରେ ଚର୍ଚ୍ଚା ସାଉଁଟିଥିଲା, ତାହା ଏବେ ଦଳର ବିଧାୟକଙ୍କ ପାଇଁ ବୁମେରାଂ ହୋଇଛି। ମଙ୍ଗଳବାର ବାଚସ୍ପତି ସୁରମା ପାଢ଼ୀ କଂଗ୍ରେସର ମୋଟ୍ ୧୪ଜଣ ବିଧାୟକଙ୍କ ମଧ୍ୟରୁ ୧୨ଜଣଙ୍କୁ ନିଲମ୍ବିତ କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସମେତ ୧୨ଜଣଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି। ନିଲମ୍ବିତ ଆଉ ୧୧ ବିଧାୟକମାନେ ହେଲେ ଦାଶରଥୀ ଗମାଙ୍ଗୋ, ସି.ଏସ୍‌.ରାଜନ ଏକ୍କା, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗୋ, ପ୍ରଫୁଲ୍ଲ ପ୍ରଧାନ, ସାଗର ଦାସ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ୱାମୀ, ନୀଳମାଧବ ହିକକା ଓ ସୋଫିଆ ଫିର୍ଦ୍ଦୋସ। ୭ଟି କାର୍ଯ୍ୟଦିବସ ଯାଏଁ ଗୃହକୁ ଆସିବା ଉପରେ ବାଚସ୍ପତି କଟକଣା ଲଗାଇଛନ୍ତି। ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହ କମିଟି ଗଠନ ଦାବିରେ ଅଡ଼ିବସିଥିବା କଂଗ୍ରେସ ବିଧାୟକ ଗତ ୨୦ ତାରିଖରୁ ବିଧାନସଭାକୁ ଅଚଳ ମୁଦ୍ରାକୁ ନେଇଆସିଥିବାବେଳେ ମଙ୍ଗଳବାର ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଅପରାହ୍ଣ ବୈଠକରେ ନିଲମ୍ବନ ନିର୍ଦ୍ଦେଶର ପ୍ରତିବାଦ କରି କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗରେ ଧାରଣା ଦେଇଥିବାବେଳେ ସେମାନଙ୍କୁ ବାହାର କରିବା ପାଇଁ ବାଚସ୍ପତି ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କଂଗ୍ରେସ ସଦସ୍ୟମାନେ ଗୃହ ଭିତରେ ସେମିତି ଧାରଣାରେ ବସି ରହିଥିଲେ। ମାର୍ଶାଲ ଜରିଆରେ ସେମାନଙ୍କୁ ଗୃହ ଭିତରୁ ବାହାର କରିବାକୁ ଚେଷ୍ଟା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା କୁହାଯାଉଛି। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବିଧାନସଭାରେ ଏହି ଡ୍ରାମା ଚାଲିଥିଲା।ମଙ୍ଗଳବାର ବିଧାନସଭା ଆରମ୍ଭରୁ ସ୍ଥିତି ଉଷ୍ଣ ଥିଲା। ପୂର୍ବ ସ୍ଥିତିର କିଛି ବି ସୁଧାର ଆସି ନଥିଲା। ବିରୋଧୀ କଂଗ୍ରେସ ସଭ୍ୟମାନେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗରେ ଗୃହ କମିଟି ଦାବି କରି ଗୃହ ମଝିରେ ଘଣ୍ଟ, ଝାଞ୍ଜ ଓ ବଂଶୀ ବଜାଇ ହଟ୍ଟଗୋଳ କରିଥିଲେ। ଏପରିକି ସେମାନେକଳା ପୋଷାକ ପିନ୍ଧି ପ୍ଲାକାର୍ଡ ଧରି ହୋହାଲ୍ଲା ମଧ୍ୟ କରିଥିଲେ। ବିଜେଡି ସଦସ୍ୟମାନେ ବି ଓବିସି ସଂରକ୍ଷଣ ଦାବିରେ ହଟ୍ଟଗୋଳରେ ସାମିଲ ଥିଲେ। ଫଳରେ ଗୃହ ଚାଲିବା ଆଉ ସମ୍ଭବ ନ ହେବାରୁ ବାଚସ୍ପତି ସୁରମା ପାଢ଼ୀ ବାଧ୍ୟ ହୋଇ ଗୃହକୁ ୧୦ଟା୧ରୁ ପ୍ରଥମେ ୧୧.୩୦ ଯାଏ ମୁଲତବି ଘୋଷଣା କରିଥିଲେ। ପୁଣି ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ନାରୀ ସୁରକ୍ଷା ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ମାତ୍ର ସେମାନେ ତାହା ନ ଶୁଣି ଗୃହ ମଝିରେ ନାରାବାଜି ଜାରି ରଖିଥିଲେ। ଯାହାଫଳରେ ବାଚସ୍ପତି ଗୃହକୁ ପୁଣି ୧୨ଟା ୧ଯାଏ ମୁଲତବି କରିଥିଲେ। ଏହା ପରେ ଅନୁରୂପ ସ୍ଥିତି ସୃଷ୍ଟି ହେବାରୁ ଗୃହକୁ ବାଚସ୍ପତି ଅପରାହ୍ଣ ୪ଟା ଯାଏ ମୁଲତବି କରିଥିଲେ। ଏଥିଯୋଗୁଁ ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ହୋଇପାରି ନ ଥିଲା। ବାଚସ୍ପତିଙ୍କୁ ବାରମ୍ବାର ଗୃହ ମୁଲତବୀ ରଖିବାକୁ ପଡ଼ିଥିଲା। ଏହା ଭିତରେ ବାଚସ୍ପତିଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା। ତାହା ବି ସଂପୂର୍ଣ୍ଣ ଫେଲ୍ ମାରିଥିଲା। ଏହା ପରେ କଂଗ୍ରେସ ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲାବେଳେ ବିଜେଡି ସଭ୍ୟମାନେ ବିଧାନସଭା ଦ୍ୱାର ସମ୍ମୁଖରେ ଧାରଣାରେ ବସିଥିଲେ। ଫଳରେ ଗୃହ ଭିତରେ ଓ ବାହାରେ ସ୍ଥିତି ସରଗରମ ଥିଲା। ଅପରାହ୍ଣରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଥିଲା । ବାଚସ୍ପତି ଗୃହ ସ୍ୱାଭାବିକ କରିବାକୁ ଚାହିଁଥିଲେ। ମାତ୍ର କଂଗ୍ରେସ ବିଧାୟକମାନେ ସେମାନଙ୍କ ଦାବିରେ ଅଡ଼ି ବସି ଘଣ୍ଟ ଓ ତୁରୀ ବଜାଇବା ସହ ନାରାବାଜି ଜାରି ରଖିଥିଲେ। ଫଳରେ ବାଚସ୍ପତି ପୁଣି ଗୃହକୁ ଅନେକ ଥର ମୁଲତବି ରଖିଥିଲେ। ଏହା ଭିତରେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଗୃହରେ ଏକ ପ୍ରସ୍ତାବ ଆଣିଥିଲେ। ଗୃହରେ ବିଶୃଙ୍ଖଳିତ ଆଚରଣରେ ଲିପ୍ତ ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ବାଚସ୍ପତି ଏହାକୁ ଗ୍ରହଣ କରି ୭ଟି କାର୍ଯ୍ୟ ଦିବସ ପାଇଁ ସେମାନଙ୍କୁ ନିଲମ୍ବନ କରିବାକୁ ଆଦେଶ ଦେଇଥିଲେ। ସନ୍ଧ୍ୟା ୭ଟାରେ ଗୃହକୁ ବାଚସ୍ପତି ମୁଲତବୀ କରିଥିଲେ ହେଁ କଂଗ୍ରେସ ସଦସ୍ୟମାନେ ଗୃହ ଭିତରେ ଧାରଣାରେ ବସି ହୋ ହାଲ୍ଲା କରିିଥିଲେ। ଏହି ସମୟରେ ମାର୍ଶଲ ଜରିଆରେ କଂଗ୍ରେସ ସଭ୍ୟଙ୍କୁ ଗୃହ ଭିତରୁ ବାହାର କରିବାକୁ ଚେଷ୍ଟା କରିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିବା କୁହାଯାଉଛି। ମାତ୍ର ତାହା ବିଧାନସଭା ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button