ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ

ଭୁବନେଶ୍ୱର: ଗତ ଡିସେମ୍ବର ୨୬ ତାରିଖରୁ ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ । ଏନେଇ ଓମସା ପକ୍ଷରୁ ସୂଚନା ଦିଆଯାଇଛି । ଓମସା ପକ୍ଷରୁ କୁହାଯାଇଛି ଯେ, ଆଜି ସନ୍ଧ୍ୟା ସୁଦ୍ଧା ସରକାର ଦୁଇଟି ଦାବି ପୂରଣ ନେଇ ନୋଟିିଫିକେସନ ଜାରି କରିବେ । ଏହାଛଡା ଅନ୍ୟ ଦାବି ଗୁଡିକୁ ବି ସରକାର ପୂରଣ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ସରକାର ଏଥିରେ ଅବହେଳା କରନ୍ତି, ତେବେ ପୁଣି ଆନ୍ଦୋଳନ ହେବ । ସୂଚନା ଯୋଗ୍ୟ, ଗତ ଦୁଇ ଦିନ ଧରି ଚାଲିଥିବା ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ ଆଜି ସାରା ରାଜ୍ୟରେ ଜାରି ରହିଥିଲା । ରୋଗୀ ସେବାରେ ବିଭ୍ରାଟ ହୋଇଥିଲା । ସରକାରୀ ଡାକ୍ତରଖାନାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆସନ୍ତା ୧୫ ତାରିଖ ସୁଦ୍ଧା ଯଦି କୌଣସି ପଦକ୍ଷେପ ନିଆ ନ ଯାଏ, ତା’ ହେଲେ ଅପରାହ୍ଣରେ ସରକାରୀ ଡାକ୍ତରଖାନାରେ ଆଉ ଓପିଡି ଖୋଲିବ ନାହିଁ ବୋଲି ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍ସା) ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଡାକ୍ତରଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ରାଜ୍ୟ ସରକାର ଏସ୍ମା ଲାଗୁ କରିଛନ୍ତି। ହେଲେ ଡାକ୍ତରମାନେ ତାଙ୍କ ଜିଦ୍ରେ ଅଟଳ ରହିଥିଲେ। ଏପରିକି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କଡ଼ା ବାର୍ତ୍ତା ଦେଇଥିଲେ।



