ଭତ୍ତା ଟଙ୍କା ନଗଦ ଦେବା ପ୍ରସ୍ତାବକୁ ବିରୋଧ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତି ଚିନ୍ତାଜନକ। ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ ଦିଗକୁ ଦର୍ଶାଉଛି। ତେଣୁ ସ୍ୱଚ୍ଛତା ବଜାୟ ରଖିବା ତଥା ଭ୍ରଷ୍ଟାଚାରକୁ ଦୂର କରିବାର ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ଏହି ନିଷ୍ପତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନଗଦ ଅର୍ଥ ପ୍ରଦାନ ଜରିଆରେ ମଧ୍ୟସ୍ଥିଙ୍କ ଦ୍ୱାରା ଦୁର୍ନୀତି, ହେରଫେର୍ କାରଣରୁ ହିତାଧିକାରୀମାନେ ଅତୀତରେ ଶୋଷଣ ହେବାର ଅନେକ ନଜିର ରହିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତି ପୁଣି ଥରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେବ। ଏହି ସମସ୍ୟା ଆମ ବରିଷ୍ଠ ନାଗରିକଙ୍କ ଉପରେ ବୋଝ ସୃଷ୍ଟି କରିପାରେ। ତେଣୁ ଡିବିଟି ପ୍ରକ୍ରିୟା ମାଧ୍ୟମରେ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଭତ୍ତା ସହାୟତା ପ୍ରଦାନ କରାଯାଉ। ଓଡ଼ିଶାରେ ୨୦ ଲକ୍ଷ ୯୫ ହଜାର ୬୯୫ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଡିବିଟି ମାଧ୍ୟମରେ ସହାୟତା ପ୍ରଦାନ କରୁଛନ୍ତି । ଏହି ହିତାଧିକାରୀ କୌଣସି ଭ୍ରଷ୍ଟାଚାର ବିନା ସିଧାସଳଖ ନିଜ ବ୍ୟାଙ୍କ୍ ଖାତାରେ ସହାୟତ ରାଶି ପାଉଛନ୍ତି। ଡିବିଟି ବ୍ୟବସ୍ଥା କାରଣରୁ ରାଜକୋଷକୁ ସହାୟକ ହେବା ସହ ନକଲି କିମ୍ବା ଭୁତ ହିତାଧିକାରୀ ବାଦ୍ ପଡିଛନ୍ତି ଏବଂ ମଧ୍ୟସ୍ଥିଙ୍କ ଆବଶ୍ୟକତା ମଧ୍ୟ ହ୍ରାସ ପାଇଛି ଏବଂ ଭ୍ରଷ୍ଟାଚାର ମୁକ୍ତ ଓ ସ୍ୱଚ୍ଛ ରହିଛି । ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେବା ଭିତ୍ତିରେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜାନୁଆରୀ ୨୦୨୩ ସୁଦ୍ଧା ଓଡ଼ିଶାର ବିଭିନ୍ନ ବ୍ୟାଙ୍କରେ ୮୨ ହଜାର ୨୬୧ ସକ୍ରିୟ ବ୍ୟାଙ୍କ୍ ମିତ୍ର ମହଜୁଦ୍ ଅଛନ୍ତି। ଏହାବ୍ୟତିତ ଓଡ଼ିଶାରେ ୮ ହଜାର ୪୯୧ଟି ପୋଷ୍ଟ ଅଫିସ ରହିଛି ଏବଂ ଏଥିରେ ଦୁର୍ଗମ ଏବଂ ଗ୍ରାମୀଣ ଅଞ୍ଚଳରେ ଆର୍ଥିକ ସେବା ପ୍ରଦାନ କରିବା ପାଇଁ ପ୍ରଶିକ୍ଷିତ କର୍ମଚାରୀ ଅଛନ୍ତି। ଭାରତୀୟ ଡାକର ଉପସ୍ଥିତି ଓ ଏହାର ବ୍ୟାପକ ନେଟଓ୍ୱାର୍କକୁ ଡିବିଟି ସହ ଉପଯୋଗ କରିବାର ଆବଶ୍ୟକତା ରହିଛି। ଓଡ଼ିଶାରେ ୬ ହଜାର ୭୭୨ ଗ୍ରାମ ପଞ୍ଚାୟତକୁ ୨୨ ହଜାର ଜନସେବା କେନ୍ଦ୍ର ସେବା ପ୍ରଦାନ କରୁଛନ୍ତି । ଏହାର ଉପସ୍ଥିତି ଦ୍ୱାରା ଭାରତ ସରକାରଙ୍କ ଅନେକ ସାମାଜିକ ସୁରକ୍ଷା, ଆର୍ଥିକ ସେବା, କୃଷି ଏବଂ କୃଷକ କଲ୍ୟାଣକାରୀ ଯୋଜନା ସଫଳ ରୂପେ କାର୍ଯ୍ୟକାରୀ ହୋଇପାରିଛି। ଡିବିଟି ଫ୍ରେମଓ୍ୱାର୍କ ସହିତ ବରିଷ୍ଠ ନାଗରିକ ଭତ୍ତା, ସାମାଜିକ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ ଆର୍ଥିକ ଯୋଜନାର ଅର୍ଥ ପ୍ରଦାନକୁ ବର୍ତ୍ତମାନ ଉପଲବ୍ଧ ବ୍ୟାଙ୍କ୍ ମିତ୍ର, ଭାରତୀୟ ଡାକର ବ୍ୟାପକ ନେଟଓ୍ୱାର୍କ ଓ ଜନସେବା କେନ୍ଦ୍ର ବ୍ୟବହାର କରାଯିବା ଦରକାର। ଏ ଗୁଡିକ ଅଭିନବ ଉପାୟରେ ଅପହଞ୍ଚ ଲୋକଙ୍କୁ ସେବା ପ୍ରଦାନ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button