ହୁ ହୁ ବଢ଼ୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧,୧୦୯ ନୂଆ ମାମଲା ଚିହ୍ନଟ ହୋଇଛି । ଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇ ୪୯, ୬୨୨ରେ ପହଞ୍ଚିଛି; ଯାହା ମୋଟ ମାମଲାର ୦.୧୧ ପ୍ରତିଶତ । ସେହିପରି ଗତ ୨୪ ଘଣ୍ଟାରେ ୨୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଏହି ହାର ୧.୧୯ ପ୍ରତିଶତ ରହିଛି । ବର୍ତ୍ତମାନ ସୁଦ୍ଧା ମୋଟ ୪,୪୨,୧୬,୫୮୩ ଲୋକ କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ବେଳେ ଏହାର ଜାତୀୟ ହାର ୯୮.୭୦ ପ୍ରତିଶତ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭାରତରେ ଦୈନିକ ସଂକ୍ରମଣ ହାର ୫.୦୧% ଏବଂ ସାପ୍ତାହିକ ହାର ୪.୨୯ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବ୍‌ସାଇଟ୍ ଅନୁସାରେ ଭାରତରେ ଦେଶବ୍ୟାପୀ ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୨୨୦,୬୬,୨୫,୧୨୦ ଡୋଜ୍ କୋଭିଡ୍ ଭ୍ୟାକ୍ସିନ୍ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ଭାରତରେ ୨୦୨୦ ଅଗଷ୍ଟ ୭ରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ, ଅଗଷ୍ଟ ୨୩ରେ ୩୦ ଲକ୍ଷ ଏବଂ ସେପ୍ଟେମ୍ବର ୫ରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥିଲା । ସଂକ୍ରମଣର ମୋଟ ମାମଲା ୨୦୨୦ ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ, ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ, ଅକ୍ଟୋବର ୧୧ରେ ୭୦ ଲକ୍ଷ, ଅକ୍ଟୋବର ୨୯ରେ ୮୦ ଲକ୍ଷ ଏବଂ ନଭେମ୍ବର ୨୦ରେ ୯୦ ଲକ୍ଷ ଟପିଯାଇଥିଲା । ଦେଶରେ ୨୦୨୦ ଡିସେମ୍ବର ୧୯ରେ ଏହି ସଂଖ୍ୟା ଏକ କୋଟିରୁ ଊର୍ଦ୍ଧ୍ୱ ହୋଇଯାଇଥିଲା । ୨୦୨୧ ମେ ୪ ତାରିଖରେ ଏହି ସଂଖ୍ୟା ବୃଦ୍ଧିପାଇ ୨ କୋଟି ଏବଂ ଜୁନ୍ ୨୩ରେ ତିନି କୋଟି ଟପିଯାଇଥିଲା । ଗତବର୍ଷ ଜାନୁଆରୀରେ କରୋନା ସଂକ୍ରମଣର ମୋଟ ସଂଖ୍ୟା ୪ କୋଟି ଉପରେ ଥିଲା ।

Related Articles

Leave a Reply

Your email address will not be published.

Back to top button