ସମବାୟ ଅନୁଷ୍ଠାନ ହେବ ଆତ୍ମନିର୍ଭରଶୀଳ : ସମବାୟ ମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶାର ସମବାୟ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆସିବ । ସମବାୟ ଅନୁଷ୍ଠାନ ହେବ ଆତ୍ମନିର୍ଭରଶୀଳ । ପ୍ରଗତିର ପ୍ରମୁଖ ଇଂଜିନ୍ ସାଜିବ ଓ ତୃଣମୂଳ ସ୍ତରରେ ସମବାୟ ଅନୁଷ୍ଠାନ ଲୋକଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦେବ ବୋଲି ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି । ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ଚିଠା ସମବାୟ ନୀତି ୨୦୨୫ ଉପରେ ଆଲୋଚନାଚକ୍ର ଓ ମତାମତ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦାନ କରି ସେ ଏହା କହିଛନ୍ତି । ସମବାୟ କ୍ଷେତ୍ରକୁ ଅଧିକ ସୁଦୃଢ଼ ଓ ଆଧୁନିକୀକରଣ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର “ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୫” ପ୍ରଣୟନ କରିବାକୁ ଯାଉଛନ୍ତି । ଜାତୀୟ ସମବାୟ ନୀତି ପ୍ରକାଶ ପାଇ ସାରିଥିବା ବେଳେ ସମବାୟ ସଂସ୍କାର ଆଧାରରେ “ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୫” ପ୍ରକାଶ ପାଇବ । ସମବାୟ ସଂସ୍ଥାଗୁଡ଼ିକୁ ଦୀର୍ଘସ୍ଥାୟୀ, ଆତ୍ମନିର୍ଭର, ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ, ନାଗରିକ-କୈନ୍ଦ୍ରିକ ଓ ତୃଣମୂଳ ସ୍ତରରେ ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ “ୱାନ୍ ଷ୍ଟପ୍ ସପ୍” ଅନୁଷ୍ଠାନରେ ପରିଣତ କରିବାକୁ ଏହି ନୀତି ଲକ୍ଷ୍ୟ ରଖିଛି ବୋଲି ସମବାୟ ବିଭାଗର କମିଶନର ତଥା ଶାସନ ସଚିବ କହିଛନ୍ତି । କୃଷି ଭିତ୍ତିକ ସେବା, ଋଣ ପ୍ରଦାନ, ଜୀବିକା ସହାୟତା କ୍ଷେତ୍ରରେ ସମବାୟ ଅନୁଷ୍ଠାନର ଉଲ୍ଲେଖନୀୟ ଅବଦାନ ରହିଛି । ସମବାୟ ଅନୁଷ୍ଠାନକୁ ଆର୍ଥିକ ଭାବେ ଆତ୍ମନିର୍ଭର କରିବା ସହ ଏହି ନୀତି ଓଡ଼ିଶାର ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ ଓ ଡିଜିଟାଲ୍ ଭାବେ ସଶକ୍ତ କରିବ । ଫଳରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ସହ ରାଜ୍ୟ ସରକାରଙ୍କ ଆତ୍ମନିର୍ଭର ପ୍ରତିବଦ୍ଧତାକୁ ଏହା ଦୃଢ଼ କରିବ । ସମବାୟ ସଦସ୍ୟ/ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି ସହ ସମିତିର ତଦାରଖ ପାଇଁ ସମିତିଗୁଡ଼ିକର କମ୍ପୁଟରୀକରଣ, ସ୍ୱୟଂଚାଳିତ, ଆଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଉପରେ ଧ୍ୟାନ ଦେବ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି, ମତ୍ସ୍ୟ, ଦୁଗ୍ଧ, ଆବାସ, ବିପଣନ, ହସ୍ତଶିଳ୍ପ, ବୟନ, ରେଶମ ଚାଷ ଆଦି କ୍ଷେତ୍ରରେ ସମବାୟର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।



