ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍: ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର

ଭୁବନେଶ୍ୱର: ଓଡିଶାରେ କ୍ରମବର୍ଦ୍ଧିଷ୍ଣୁ ଲଜ୍ୟାଜନକ ଦୁଷ୍କର୍ମ ଘଟଣା ଗୁଡିକରେ ଯୋଡିହୋଇଛି ପୁଣି ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ। ପୁରୀ ବାଲିହରଚଣ୍ଡୀ ପର୍ଯ୍ୟଟନ ସ୍ଥଳରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ କଂଗ୍ରେସ ମିଡ଼ିଆ ସେଲ ପକ୍ଷରୁ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛି। ମୁଖପାତ୍ର ସୋନାଲି ସାହୁ ସିଧାସଳଖ ଉପମୁଖ୍ୟମନ୍ତ୍ରୀ ଏବଂ ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଉପରେ ଦୋଷାରୋପ କରି କହିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନିଜ ଜିଲ୍ଲା ପୁଣି ବାଲିହରଚଣ୍ଡି ଭଳି ଜନ ସମାଗମ ଲାଗି ରହିଥିବା ସ୍ଥାନରେ ମହିଳା ଆଜି ଅସୁରକ୍ଷିତ। ସରକାର ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ଦୁଷ୍କର୍ମର ମଣିପୁର ପାଲଟି ଯାଇଛି ଓଡିଶା, ସେପଟେ ଗୋଷ୍ଠୀଗତ ସମସ୍ୟାରେ ମଣିପୁର ଜଳୁଥିବାବେଳେ ଏପଟେ ନାରୀ ଦୁଷ୍କର୍ମରେ ଓଡିଶା ଜଳୁଛି। ବାଲିହରଚଣ୍ଡି ପର୍ଯ୍ୟଟନ ସ୍ଥଳୀରେ ଜଣେ ଛାତ୍ରୀଙ୍କୁ ଯୁବକ ବନ୍ଧୁଙ୍କୁ ବାନ୍ଧି ଛାତ୍ରୀଙ୍କୁ ଦିନ ଦ୍ବିପହରରେ ଦୁଷ୍କର୍ମ କରାଗଲା। ଅବଶ୍ୟ ପୋଲିସ କମ ସମୟ ମଧ୍ୟରେ ଅପରାଧୀଙ୍କୁ ଧରିଛି, ଯେଉଁମାନେ ପୁଲିସକୁ ସହାୟତା କରିଛନ୍ତି ସେମାନଙ୍କୁ ଧନ୍ୟବାଦ ବୋଲି କଂଗ୍ରେସ କହିଛି। ହେଲେ ଦଳ ଅଭିଯୋଗ କରିଛି ଯେ, ସେଇ ସମାନ ଜିଲ୍ଲାର ବଳଙ୍ଗାରେ ଦୁର୍ବୃତ୍ତମାନେ ନାବାଳିକାକୁ ପୋଡିକି ମାରିଦେଲେ। କିନ୍ତୁ ପୋଲିସ ଅପରାଧୀଙ୍କୁ ଧରି ପାରିଲା ନାହିଁ। ବଲାଙ୍ଗୀରରେ ଖୋଦ ଜଣେ ବିଜେପି ଯୁବନେତା ଦୁଷ୍କର୍ମ କରିଛନ୍ତି ବୋଲି ପୀଡିତା ଅଭିଯୋଗ କରିଛନ୍ତି। ଶାସକ ଦଳର କର୍ମୀ କାହା ସାହସରେ ଏଭଳି ଦୁଷ୍କର୍ମ ଭଳି ଲଜ୍ୟାଜନକ କାର୍ଯ୍ୟ କରିବାକୁ ପଛାଇଲା ନାହିଁ, ଏହା ଅନୁସନ୍ଧାନର ବିଷୟ ବୋଲି ସୋନାଲି କହିଛନ୍ତି।