ପାଣି ପଞ୍ଚାୟତ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା:୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା

ଭୁବନେଶ୍ବର: ଜଳର ସୁପରିଚାଳନା ବିନା କୃଷି, ଅର୍ଥନୈତିକ ଉନ୍ନତି ଓ ରାଜ୍ୟର ପ୍ରଗତି ଅସମ୍ଭବ। ପାଣି ପଞ୍ଚାୟତ ବ୍ୟବସ୍ଥା ଓଡିଶାର କୃଷି ଓ କୃଷକଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଛି ବୋଲି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଗାମୀ ୫ ବର୍ଷ ମଧ୍ୟରେ ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଲିଫ୍ଟ ଇରିଗେସନ, ମେଗା ଲିଫ୍ଟ ଓ ଆଡିବନ୍ଧ ନିର୍ମାଣ ମାଧ୍ୟମରେ ୧୫ ଲକ୍ଷ ହେକ୍ଟର ଅତିରିକ୍ତ ଜମିକୁ ଜଳସେଚନ ଅନ୍ତର୍ଭୁକ୍ତ କରାଯିବ। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ୪୦,୩୮୦ ଗୋଟି ପାଣି ପଞ୍ଚାୟତ ସକ୍ରିୟ ଭାବେ କାର୍ଯ୍ୟ କରୁଥିବାବେଳେ, ସେଗୁଡିକ ମାଧ୍ୟମରେ ୨୪.୧୨ ଲକ୍ଷ ହେକ୍ଟର ଜମିର ଜଳସେଚନ ସଫଳତାର ସହ ପରିଚାଳିତ ହେଉଛି। ଓଡିଶା ପାଣି ପଞ୍ଚାୟତ ଆଇନ-୨୦୦୨ ଓ ତାହାର ସଂଶୋଧନ ମାଧ୍ୟମରେ ମହିଳା, ମତ୍ସ୍ୟଜୀବୀ ଓ ଜଳ ବ୍ୟବହାରକାରୀଙ୍କୁ ସମାନ ଅଧିକାର ଓ ସୁଯୋଗ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ପ୍ରାଚୀନ ଜଳସେଚନ ପଦ୍ଧତିରେ ଜଳର ଅପଚୟ ହେଉଥିବାବେଳେ, ପାଣି ପଞ୍ଚାୟତ ମାଧ୍ୟମରେ ସମତାମୂଳକ ଓ ଦକ୍ଷ ଜଳ ବଣ୍ଟନ ସମ୍ଭବ ହୋଇପାରିଛି। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ମୟୂରଭଞ୍ଜର ଖଇରିବନ୍ଧନ ବ୍ୟାରେଜ୍, ବଲାଙ୍ଗିରର ଅପରଲାନ୍ଥ ପ୍ରକଳ୍ପ, ସାଣ୍ଡୁଲ ଭୂତଳ ପାଇପଲାଇନ୍, ନୟାଗଡର ବୃତଙ୍ଗ ଜଳସେଚନ ପ୍ରକଳ୍ପ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ଜଳାଶୟ ଓ କେନାଲ ପ୍ରକଳ୍ପ ତ୍ୱରାନ୍ବିତ ଭାବେ ଚାଲୁ ରହିଛି। ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟରେ ୯୦ ପ୍ରତିଶତରୁ ଅଧିକ ଚାଷଯୋଗ୍ୟ ଜମିକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ସରକାର ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button