ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ରାଜ୍ୟ ସରକାରଙ୍କ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ ବଡ ଘୋଷଣା କରିଛନ୍ତି। ରାଜ୍ୟରେ ଛାତ୍ରୀମାନଙ୍କ ପ୍ରତି ବଢୁଥିବା ଅପରାଧକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ”ଆମ ସରକାର ଲୋକଙ୍କ ସରକାର। ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା, ସେମାନଙ୍କ କଲ୍ୟାଣ ତଥା ବିକାଶ ପାଇଁ ଆମ ସରକାର ଗତ ଏକ ବର୍ଷ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ଏହା ସହିତ ଏକ ସମୃଦ୍ଧ ଓଡିଶାର ପରିକଳ୍ପନା କରାଯାଇଛି। ୨୦୩୬ ଓ ୨୦୪୭ ସୁଦ୍ଧା ଓଡିଶା ପାଇଁ ଏକ ରୂପରେଖ ପ୍ରସ୍ତୁତ କରାଯାଇଛି ଏବଂ ଏହାର ରୂପାୟନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯାଇଛି।” କିନ୍ତୁ, ଏ ସବୁ ସଫଳତା ହାସଲ କରିବା ପାଇଁ ସବୁ ନାଗରିକଙ୍କ ବ୍ୟକ୍ତିଗତ ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା ଏକ ମୌଳିକ ଆବଶ୍ୟକତା। ବିଶେଷ କରି ମହିଳାମାନଙ୍କ ସୁରକ୍ଷା ଓ ନିରାପତ୍ତା ଏଥିପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ମହିଳା ମାନଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଆମ ସରକାର ଏକ Non-Negotiable Policy ଗ୍ରହଣ କରିଛି। ସମାଜର ବିଭିନ୍ନ ସ୍ଥାନରେ ନାରୀମାନଙ୍କ ପ୍ରତି ଅତ୍ୟାଚାରକୁ ରୋକିବା ପାଇଁ ଆମ ସରକାର ପ୍ରତିବଦ୍ଧ। ବିଶେଷକରି କଲେଜ ଓ ବିଶ୍ୱବିଦ୍ୟାଳୟ ପରି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବିଗତ ଦିନମାନଙ୍କରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କ ପ୍ରତି ଯେଉଁଭଳି ଅପରାଧ ଘଟୁଛି, ସେହିଭଳି ଘଟଣାକୁ ରୋକିବା ପାଇଁ, ଛାତ୍ରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଯୋଜନା କରାଯାଇଛି। ଏହି କାର୍ଯ୍ୟକ୍ରମର ନାମ ହେଉଛି ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ମାନଙ୍କରେ ଏହା କାର୍ଯ୍ୟକାରୀ କରାଯିବ। ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରାଇବା ସହିତ ଅଧ୍ୟୟନରତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଛାତ୍ରୀମାନଙ୍କର ସଶକ୍ତିକରଣ ଓ ସର୍ବାଙ୍ଗୀନ ବିକାଶ ଦିଗରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button