ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୫୦ ପ୍ରତିଶତ ବୃଦ୍ଧି ହେଲା ଲ’ ଅଫିସରମାନଙ୍କର ଦୈନିକ ଓ ରିଟେନର ଫି’

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା Non-Cadre Law Officer ମାନଙ୍କର ଦୈନିକ ଓ ରିଟେନର ଫି’ ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ’ ଅଫିସରମାନେ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଲ’ ଅଫିସର ମାନଙ୍କ ଦୈନିକ ଓ ରିଟେନର ଫି’ କୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଫି’ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଅତିରିକ୍ତ ସରକାରୀ ଓକିଲମାନେ ଦୈନିକ ଫି ବାବଦରେ ୧,୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ। ସେହିଭଳି ରିଟେନର ଫି’ ପୂର୍ବରୁ ୮,୨୦୦ ଟଙ୍କା ପାଉଥିବାବେଳେ, ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ। ସେହିଭଳି କାର୍ଯ୍ୟରତ ୭୪୦ ଜଣ ସହକାରୀ ସରକାରୀ ଓକିଲ ମାନେ ପୂର୍ବରୁ ଦୈନିକ ଫି ବାବଦରେ ୧,୧୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୬୫୦ ପାଇବେ। ରିଟେନର ଫି’ ବାବଦରେ ପୂର୍ବରୁ ୪,୦୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୬,୦୦୦ ଟଙ୍କା ପାଇବେ। ୮୫ ଜଣ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟରମାନେ ପୂର୍ବରୁ ଦୈନିକ ଫି ବାବଦରେ ୧,୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ। ରିଟେନର ଫି’ବାବଦରେ ପୂର୍ବରୁ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ। ସେହିଭଳି କାର୍ଯ୍ୟରତ ୨୯ଜଣ ଗଭର୍ଣ୍ଣମେଣ୍ଟ ପ୍ଳିଡର ଏବଂ ୧୧୩ ଜଣ ଆସିଷ୍ଟାଣ୍ଟ ଗଭର୍ଣ୍ଣମେଣ୍ଟ ପ୍ଳିଡର ପୂର୍ବରୁ ରିଟେନର ଫି’ ବାବଦରେ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨,୩୦୦ ପାଇବେ।

Related Articles

Leave a Reply

Your email address will not be published.

Back to top button