ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨ ସପ୍ତାହ ମଧ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଭୁବନେଶ୍ୱର : ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସତ୍ୟଭାମାପୁରରେ ଓଡ଼ିଶା ଦିବସ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ । ସାରା ଓଡ଼ିଶାରେ ୩ କୋଟି ୫୨ ଲକ୍ଷ ଲୋକଙ୍କୁ ସାମିଲ କରାଯିବ । ଏହାଦ୍ୱାରା ଦେଶ ସାରା ୨୯ ହଜାର ମେଡିକାଲରେ ସ୍ୱାସ୍ଥ୍ୟ ସେବା ମିଳିବ । ସୂଚନା ଅନୁସାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ୮୦ ହଜାରରୁ ଅଧିକ ପରିବାର ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ୩୫ ଲକ୍ଷ ୮୪ ହଜାରରୁ ଅଧିକ ପରିବାର ଉପକୃତ ହେବେ । ଯୋଜନାର ହିତାଧିକାରୀମାନଙ୍କୁ ଗୋଟିଏ ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦିଆଯିବ । ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ ବୟସରୁ ଅଧିକ ବୟସର ପ୍ରାୟ ୨୩ ଲକ୍ଷ ୧୩ ହଜାର ହିତାଧିକାରୀମାନେ ଅଲଗା ଭାବେ ଏକ ସ୍ୱତନ୍ତ୍ର କାର୍ଡ ପାଇବେ । ଏହି ଦୁଇ ଯୋଜନାର ହିତାଧିକାରୀମାନେ ଦେଶର ୨୯ ହଜାରରୁ ଅଧିକ ସରକାରୀ ଡାକ୍ତରଖାନା ଓ ପଞ୍ଜୀକୃତ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।