ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୩୧ରେ ମିଳିବ ମାଧୋ ସିଂ ହାତଖର୍ଚ୍ଚ
ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ଡିସେମ୍ବର ୩୧ ତାରିଖ ଦିନ ମାଧୋ ସିଂ ହାତଖର୍ଚ୍ଚ ମିଳିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଉକ୍ତ ଦିନ ଏସସି/ଏସଟି ଛାତ୍ରଛାତ୍ରୀଙ୍କ ମାଧୋ ସିଂ ହାତଖର୍ଚ୍ଚ ମିଳିବ । ବରଗଡ଼ ଜିଲ୍ଲା ଘେଁସରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବୁଧବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ପ୍ରକାଶ ଯେ ସ୍କୁଲରେ ଡ୍ରପ୍ ଆଉଟ ରୋକିବାକୁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ନାମକ ଏକ ନୂଆ ଯୋଜନା କାର୍ୟ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟର ନୂଆ ବିଜେପି ସରକାର। ବିଧାନସଭାରେ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନବେଳେ ଏହି ତଥ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଯୋଜନାରେ ଅଷ୍ଟମ ବା ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଏବଂ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ପ୍ରତ୍ୟେକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବଜେଟ ଉପସ୍ଥାପନ ବେଳେ କହିଥିଲେ, ସ୍କୁଲ୍ ଡ୍ରପ୍ଆଉଟ୍ ହାର ସାଧାରଣତଃ ଛାତ୍ରଛାତ୍ରୀ ଏବଂ ବିଶେଷ କରି ଆଦିବାସୀ ସଂପ୍ରଦାୟ ମଧ୍ୟରେ ଏକ ଚିନ୍ତାର ବିଷୟ। ଆଦିବାସୀ ଅଞ୍ଚଳରେ ଦାରିଦ୍ର୍ୟ, ଦୁର୍ବଳ ଭିତ୍ତିଭୂମି ଓ ସୀମିତ ସମ୍ବଳ ଭଳି ସାମାଜିକ-ଅର୍ଥନୈତିକ କାରଣଗୁଡ଼ିକ ହେଉଛି ଡ୍ରପ୍ ଆଉଟ୍ ସମସ୍ୟାର କେତେକ ପ୍ରମୁଖ କାରଣ। ପ୍ରାଥମିକ ଶ୍ରେଣୀରୁ ମାଧ୍ୟମିକ ଶ୍ରେଣୀ ଓ ପୁନଶ୍ଚ ମାଧ୍ୟମିକ ଶ୍ରେଣୀରୁ ଉଚ୍ଚ ମାଧ୍ୟମିକ ଶ୍ରେଣୀ ମଧ୍ୟରେ ସ୍କୁଲ ଡ୍ରପ୍ଆଉଟ୍ ହାରକୁ ରୋକିବା ପାଇ ରାଜ୍ୟ ସରକାର ଆମର ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ‘ମାଧୋ ସିଂହ ହାତ ଖର୍ଚ୍ଚ’ ନାମକ ଏକ ନୂତନ ଯୋଜନା କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ଅଷ୍ଟମ ବା ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଏବଂ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ପ୍ରତ୍ୟେକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।