ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, ତେଣୁ ତାଙ୍କ ଦର୍ଶନ ପାଇଁ କୌଣସି ବାଧା ରହିବା ଉଚିତ ନୁହେଁ। ପ୍ରତିଟି ଓଡିଆ ଯେପରି ଜୀବନରେ ଅନ୍ତତଃ ଥରେ ସମ୍ମାନର ସହ ମହାପ୍ରଭୁଙ୍କ ଦର୍ଶନ ପାଇବେ, ଏହି ଚିନ୍ତାଧାରା ରଖି ଆମ ସରକାର ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କରିଛନ୍ତି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ ଏବଂ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେଉଁ ଦିନ ପ୍ରତିଟି ଗରିବ ଲୋକ ବିନା କୌଣସି ବାଧାରେ ମହାପ୍ରଭୁଙ୍କ ଚକାନୟନ ସହ ଆଖି ମିଳାଇ ପାରିବ ଏବଂ ଶ୍ରଦ୍ଧାରେ ଲୁହ ଝରାଇବ, ସେହିଦିନ ହିଁ ମୋର ମୁଖ୍ୟମନ୍ତ୍ରୀ ପଦ ସାର୍ଥକ ହେବ ଏବଂ ମୋ ପାଇଁ ସେହି ଭକ୍ତର ସନ୍ତୋଷ ହିଁ ହେବ ସର୍ବଶ୍ରେଷ୍ଠ ପୁରସ୍କାର।
ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟର ନବରଙ୍ଗପୁର, ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁରଠାରୁ  ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ ହୋଇଛି। ୫ଟି ଜିଲ୍ଲାରୁ ପ୍ରାୟ ୫୦୦ ଶ୍ରଦ୍ଧାଳୁ ତୀର୍ଥଯାତ୍ରୀ ଏସ୍କଟ ଅଫିସରଙ୍କ ସହିତ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଯୋଜନାରେ ଚଳିତ ବର୍ଷ ରାଜ୍ୟର ୫ ହଜାର ହିତାଧିକାରୀ ଏବଂ ଆସନ୍ତା ୪ ବର୍ଷ ମଧ୍ୟରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବାର ଲକ୍ଷ୍ୟ ରହିଛି। ଆର୍ଥିକ ଦୁର୍ବଳ ଶ୍ରେଣୀର ୬୦ ରୁ ୭୫ ବର୍ଷ ବୟସ ସୀମା ମଧ୍ୟରେ ଥିବା ବରିଷ୍ଠ ନାଗରିକ ଓ ୭୫ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ବିଧବା ମା’ ମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି। ଯୋଜନାର ହିତାଧିକାରୀମାନଙ୍କୁ ଏସି ବସରେ ଯାତାୟତ ସହ ପୁରୀ ବୃନ୍ଦାବତୀ ନିବାସରେ ରହଣି ଓ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button