ଫୁଲବାଣୀରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶୁଭ ଉଦ୍ଘାଟନ କରିବା ସହିତ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କନ୍ଧମାଳବାସୀଙ୍କ ବହୁଦିନର ଆଶା ପୂରଣ କରିଛି ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ସେମାନଙ୍କର ଦୀର୍ଘ ଦିନର ସ୍ଵପ୍ନ ସାକାର ହୋଇଛି। କନ୍ଧମାଳର ଏହି ମେଡିକାଲ୍ କଲେଜ୍ କେବଳ ଚିକିତ୍ସା ଶିକ୍ଷା ପ୍ରଦାନ କରିବ ନୁହେଁ, ବରଂ ଏହା ଏଠାରେ ଏକ ସୁନିଶ୍ଚିତ ଓ ଗୁଣବତ୍ତାପୂର୍ଣ୍ଣ ସ୍ଵାସ୍ଥ୍ୟ ସେବା ପ୍ରଦାନ କରିବ ଏବଂ ଆଖପାଖ ଅଞ୍ଚଳର ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ହେବ। ଏହି ୬୫୦ ଶଯ୍ୟା ବିଶିଷ୍ଟ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଦ୍ଵାରା କେବଳ କନ୍ଧମାଳ ଜିଲ୍ଲା ନୁହେଁ ବରଂ ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସଭାରେ ଉଦବୋଧନ ଦେଇ ସେ କହିଥିଲେଯେ, ଆମ ସରକାର ଆସିବା ମାତ୍ରେ ଓଡିଶା ଲୋକଙ୍କ ବହୁ ଆକାଙ୍ଖିତ ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଯାହାକୁ ରାଜନୈତିକ କାରଣରୁ ଆପଣମାନଙ୍କଠୁ ଦୂରେଇ ରଖାଯାଇଥିଲା, କାର୍ଯ୍ୟକାରୀ କରାଯାଇଛି। ଏହା ଦ୍ଵାରା ଓଡିଶାର ସାଢେ ତିନି କୋଟି ଲୋକ ନିଃଶୂଳ୍କ ସ୍ୱାସ୍ଥ୍ୟସେବା ଦେଶର ୨୯ ହଜାର ବେସରକାରୀ ମେଡିକାଲରେ ପାଇ ପାରିବେ। ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା ସହିତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନାକୁ ଏକକ ସ୍ୱାସ୍ଥ୍ୟ ସେବା ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ସମ୍ମିଳିତ ଭାବେ ଉତ୍ତମ ସ୍ୱାସ୍ଥ୍ୟ ସେବାର ସୁବିଧା ବୃଦ୍ଧି ପାଇଁ ଗୁରୁତ୍ଵ ପ୍ରଦାନ କରୁଛି। ଏହି ତିନୋଟି ସ୍ୱାସ୍ଥ୍ୟ ସେବା ଯୋଜନା ଦ୍ଵାରା ରାଜ୍ୟର ୮୦ ପ୍ରତିଶତରୁ ବି ଅଧିକ ସାଧାରଣ ଜନତା ସୁବିଧା ପାଇବେ। ସେ କହିଥିଲେଯେ, ଗତ ୨୪ ବର୍ଷରେ ବିଶ୍ଵସ୍ତରୀୟ ସେବା ନାଁରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଥିଲା। ଏହାକୁ ସଜାଡିବା ସହିତ ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ କାର୍ଯ୍ୟ ଜାରି ରହିଛି। ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇଁ ଆସନ୍ତା ଏକ ବର୍ଷ ମଧ୍ୟରେ ଓଡିଶାରେ ଡାକ୍ତରଙ୍କ ଅଭାବ ରହିବ ନାହିଁ, ପ୍ରତ୍ଯେକ ହସ୍ପିଟାଲରେ ଆବଶ୍ୟକ ଡାକ୍ତରଙ୍କୁ ପୋଷ୍ଟିଂ କରାଯିବ। ଏହି ସେବା ପାଇଁ ଆବଶ୍ୟକ ପାଣ୍ଠି। ମୁଁ ସେଥିପାଇଁ କୌଣସି କାର୍ପଣ୍ୟ କରିନାହିଁ। ଚଳତ ବଜେଟରେ କେବଳ ସ୍ୱାସ୍ଥ୍ୟ ସେବା ପାଇଁ ୨୩ ହଜାର ୬୩୫ କୋଟି ଟଙ୍କାର ପ୍ରାବଧାନ କରିଛି ଯାହା ମୋଟ ବଜେଟର ୮.୨ ପ୍ରତିଶତ। ଏହା ରାଜ୍ୟ ଇତିହାସରେ ସବୁଠାରୁ ଅଧିକ। ଏଥିରୁ ଆପଣମାନେ ଜାଣିପାରୁଥିବେ ସରକାର ସ୍ୱାସ୍ଥ୍ୟସେବାକୁ କେତେ ଗୁରୁତ୍ଵ ପ୍ରଦାନ କରୁଛନ୍ତି। ଏହି ମହାବିଦ୍ୟାଳୟ, କନ୍ଧମାଳ ଓ ଆଖପାଖ ଅଞ୍ଚଳର ଯୁବପିଢ଼ିଙ୍କ ପାଇଁ ଶିକ୍ଷାର ଏକ ନୂଆ ଦ୍ୱାର ଖୋଲିଛି। ଏହି ୧୦୦ ସିଟ ବିଶିଷ୍ଟ ମହାବିଦ୍ୟାଳୟରୁ ସ୍ନାତକ ପାଇବା ପରେ ଭେଷଜ ବିଶେଷଜ୍ଞମାନେ ଭବିଷ୍ୟତରେ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବେ। “ମାନବ ସେବା ହିଁ ମାଧବ ସେବା”, ଏହାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରି ଡାକ୍ତର ମାନେ ଏହି ମହାବିଦ୍ୟାଳୟକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ରୂପେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଡାକ୍ତରୀ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ହସ୍ପିଟାଲ ଦ୍ୱାରା, କେବଳ କନ୍ଧମାଳ ଜିଲ୍ଲା ନୁହେଁ ପାର୍ଶ୍ଵବର୍ତ୍ତୀ ନୟାଗଡ଼, ବୌଦ୍ଧ ଏବଂ କଳାହାଣ୍ଡି ଜିଲ୍ଲାର ଅଧିବାସୀମାନେ ମଧ୍ୟ ଉପକୃତ ହେବେ । ଏହା ସ୍ଥାନୀୟ ରୋଜଗାର, ଗବେଷଣା ଓ ଅର୍ଥନୈତିକ ବିକାଶ ପାଇଁ ମଧ୍ୟ ଏକ ଶକ୍ତିଶାଳୀ ଇଞ୍ଜିନ ଭାବରେ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।