ଜିଲ୍ଲାପାଳ ମାନଙ୍କୁ ୯ଟି ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ: ଗାଦି ମଡ଼ା ଅଫିସରଙ୍କୁ ବଦଳାଅ

ଭୁବନେଶ୍ୱର : ଆରମ୍ଭ ହୋଇଛି ଜିଲ୍ଲାପାଳ ଓ ଏସପି ସମ୍ମିଳନୀ । ଲୋକସେବା ଭବନର କନ୍ଭେନସନ୍ ଏହାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନେ ଉପସ୍ଥିତ ରହିଛନ୍ତି । ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ କାମ କରିବା । ୨୦୨୭ ସୁଦ୍ଧା ପାଣି, ରାସ୍ତା ଓ ବିଦ୍ୟୁତ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଜିଲ୍ଲାପାଳମାନଙ୍କୁ ୯ଟି ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ lଭୁବନେଶ୍ୱର ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳୀନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ରହିଛନ୍ତି । ଆସନ୍ତାକାଲି ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ ତୃଣମୂଳ ସ୍ତରର ସରକାରୀ ଅଧିକାରୀଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଗତ ୫୨୪ ଦିନ ସରକାରରେ ମୁଖ୍ୟମନ୍ତ୍ରୀ କେଉଁ କେଉଁ ଜିଲ୍ଲାକୁ କେତେଥର ଗସ୍ତ କରିଛନ୍ତି, ତାହାର ମଧ୍ୟ ହିସାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସ୍ୱଳ୍ପ ସମୟରେ ରାଜ୍ୟର ହଜାର ହଜାର ଲୋକଙ୍କ ସହିତ ବ୍ୟକ୍ତିଗତ ଭାବରେ ମିଶିବାର ସୁଯୋଗ ମିଳିଛି । ଦେଢ଼ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାକୁ ସର୍ବାଧିକ ୩୪ ଥର ଗସ୍ତ କରିଥିବାବେଳେ ନିଜ ଜିଲ୍ଲା କେନ୍ଦୁଝରକୁ ୩୨ ଥର, ପୁରୀକୁ ୨୭ ଥର, ସମ୍ବଲପୁରକୁ ୮ ଥର, ମୟୁରଭଞ୍ଜକୁ ୭ ଏବଂ ନିକଟରେ ନୂଆପଡ଼ାକୁ ୬ ଥର ଗସ୍ତ କରିଛନ୍ତି ।



