250ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ସୁଦୃଢ ହେବା ପାଇଁ ଲୋକାର୍ପିତ ହେଲା 250ଟି ନୂଆ ଆମ୍ବୁଲାନ୍ସ । ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଆମ୍ବୁଲାନ୍ସ ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହା ସହିତ 7ଟି ଆମ୍ବୁଲାନ୍ସରେ ଆଡ୍ଭାନ୍ସ ଲାଇଫ୍ ସପୋର୍ଟ ବ୍ୟବସ୍ଥା ଦିଆଯାଇଛି । ରାଜ୍ୟ ସରକାର ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦୨୫ ମସିହା ଡିସେମ୍ବର ୨୩ ତାରିଖରେ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିକ ୨୫୦ଟି ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି । ଏଥିରେ ବିମାନବନ୍ଦର ନିମନ୍ତେ ୫ଟି ଏବଂ ଝାରସୁଗୁଡ଼ା ସ୍ଥିତ କାର୍ଡିଆକ୍ କେୟାର୍ ହସ୍ପିଟାଲ ନିମନ୍ତେ ୨ଟି ଅତ୍ୟାଧୁନିକ ଲାଇଫ୍ ସପୋର୍ଟ (ALS) ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ପ୍ରତି ଆମ୍ବୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ପ୍ରାୟ ୧୧୧ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବିନିଯୋଗ କରିଛନ୍ତି ।



