୪୪୧ ଜୁନିଅର ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗରେ ଯୋଗ ଦେଲେ ୪୪୧ ଜୁନିଅର ଇଞ୍ଜିନିୟର । ଲୋକସେବା ଭବନରେ ଅନୁଷ୍ଠିତ ନିଯୁକ୍ତି ପର୍ବ କାର୍ୟ୍ୟକ୍ରମ ଜରିଆରେ ସମସ୍ତ ଜୁନିଅର ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ୟ୍ୟକ୍ରମରେ ସାମିଲ ହୋଇ ନବ ନିଯୁକ୍ତଙ୍କୁ ଦିଗଦର୍ଶନ ଦେବା ସହ ୫ ଟି ପଦକ୍ଷେପ ଅନୁସରଣ କରି କାର୍ୟ୍ୟ କରିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ” ଏହି ପଦକ୍ଷେପ ଗ୍ରହଣ କରାଯିବା ସହିତ ଆଧୁନିକ ଜ୍ଞାନକୈଶଳ ପ୍ରୟୋଗ ସହିତ ଅନେକ ପ୍ରମୁଖ ଜଳସେଚନ ପ୍ରକଳ୍ପ ତ୍ୱରାନ୍ୱିତ ହୋଇଛି । ସମସ୍ତ ନୂଆ ଇଞ୍ଜିନିୟର ନିଜକୁ ନୂଆ ଜ୍ଞାନକୈଶଳ ପ୍ରୟୋଗ କରିବେ । ଚ୍ୟାଲେଞ୍ଜିଂ ପ୍ରସଙ୍ଗଗୁଡ଼ିକର ସହଜରେ ସମାଧାନ କରିବେ । ବର୍ତ୍ତମାନ ତୁମେମାନେ ଜନସେବାରେ ଅଛ । ତୁମର ଏକମାତ୍ର ଦାୟିତ୍ବ ହେଉଛି ଲୋକମାନଙ୍କୁ ସ୍ୱଚ୍ଛତା, ଆନ୍ତରିକତା ଏବଂ ପ୍ରତିବଦ୍ଧତା ସହିତ ସେବା କରିବା । ଆମର ପ୍ରତ୍ୟେକ କାର୍ୟ୍ୟ ଲୋକଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଆମେ ଲୋକମାନଙ୍କର ଆବଶ୍ୟକତା ଏବଂ ଆକାଂକ୍ଷା ପ୍ରତି ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି । ସେମାନଙ୍କୁ ସେବା କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବା ଉଚିତ ।” ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ” ଜଳସମ୍ପଦ ହେଉଛି ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଯାହାକି ସମାଜର ସମସ୍ତ ବର୍ଗର ଲୋକଙ୍କ ଉପରେ ଏକ ମହତ୍ବପୂର୍ଣ୍ଣ ପ୍ରଭାବ ପକାଉଥିବା ବହୁ ବିକାଶମୂଳକ ଉପରେ ପ୍ରଭାବ ପକାଇଥାଏ । ଏହି ବିଭାଗର ଇଞ୍ଜିନିୟରମାନେ ଚାଷ ଜମିରେ ଜଳସେଚନ ସୁବିଧା ଯୋଗାଇବା, ବନ୍ୟା ପରିସ୍ଥିତିରୁ ସୁରକ୍ଷା ଏବଂ ପାନୀୟ ଜଳ, ଶିଳ୍ପ, ମତ୍ସ୍ୟଜୀବୀ ତଥା ଅନ୍ୟାନ୍ୟ ଜୀବନ ପରିବର୍ତ୍ତନକାରୀ କାର୍ୟ୍ୟ ପାଇଁ ନିଜକୁ ସମର୍ପିତ କରିବା ଉଚିତ । ରାଜ୍ୟରେ ୪ ହଜାରରୁ ଅଧିକ ଡ୍ୟାମ ରହିଛି । ଅନ୍ୟାନ୍ୟ ନିର୍ମାଣ କାଯ୍ୟ ଚାଲିଛି । ରାଜ୍ୟ ସରକାର ପ୍ରଥମ ପର୍ୟ୍ୟାୟରେ ୩୦ ଟି ଇନ-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ କାର୍ୟ୍ୟ ଗ୍ରହଣ କରିଛନ୍ତି । ଦ୍ୱିତୀୟ ଏବଂ ତୃତୀୟ ପର୍ୟ୍ୟାୟରେ ଅନ୍ୟ ୪୧ ଟି ନିର୍ମାଣ କରାଯିବ । ଏହି ପ୍ରକଳ୍ପଗୁଡିକ ଆମକୁ ଜଳ ସଂରକ୍ଷଣ, ଗ୍ରାମୀଣ ଜଳ ଯୋଗାଣରେ ସାହାଯ୍ୟ କରିବ । ଭୂତଳ ଜଳ ସ୍ତରର ଉନ୍ନତି କରିବାରେ ସାହାଯ୍ୟ କରିବ ।

Related Articles

Leave a Reply

Your email address will not be published.

Back to top button