ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଅକାଦେମି ଏବଂଗଙ୍ଗାଧର ମେହେର ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଉପଲକ୍ଷେ ଏକ ଆଲୋଚନାଚକ୍ର ମଙ୍ଗଳବାର ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଉଦ୍ଘାଟନୀ ଅଧିବେଶନ ଆରମ୍ଭ ହୋଇ ୨.୩୦ରେ ଦ୍ବିତୀୟ ଅଧିବେଶନରେ ଶେଷ ହୋଇଥିଲା। ଉଦଘାଟନୀ ଅଧିବେଶନନରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଅକାଦେମି କୋଲକାତାର ସହାୟକ ସଂପାଦକ କ୍ଷେତ୍ରବାସୀ ନାଏକ ।

ଉଦ୍ଘାଟକ ଥିଲେ ବିଶିଷ୍ଟ ଭାଷାବିତ୍ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର । ଏଠାରେ ସଭାମୁଖ୍ୟ ଭାବେ ଡ. ଗୌରହରି ଦାସ, ମୁଖ୍ୟ ଅତିଥି ସଞ୍ଜୀବ ଚନ୍ଦ୍ର ହୋତା , ଉପଦେଷ୍ଟା, ଗଙ୍ଗାଧର ମେହେର ପ୍ରତିଷ୍ଠା, ସମ୍ମାନିତ ଅତିଥି ନରେନ୍ଦ୍ର କୁମାର ମିଶ୍ର, ମୁଖ୍ୟ ବକ୍ତା ପ୍ରଫୁଲ୍ଲ କୁମାର ମହାନ୍ତି, ବିଶିଷ୍ଟ କବି ଓ ସମାଲୋଚକ ପ୍ରମୁଖ ଉପସ୍ଥିତ ରହି ସ୍ବଭାବ କବି ଗଙ୍ଗାଧର ମେହେରଙ୍କର ଅମ୍ଲାନ କାବ୍ୟକୃତି ଉପରେ ନିଜ ନିଜର ସାରଗର୍ଭକ ତଥ୍ୟ ଉପସ୍ଥାପନ କରିଥିଲେ। ଗଙ୍ଗାଧର ମେହେର ପ୍ରତିଷ୍ଠାନର ଅଧ୍ୟକ୍ଷ ମିହିର କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ବିତୀୟ ଅଧିବେଶନରେ ସଭାପତିତ୍ବ କରିଥିଲେ ପ୍ରଫେସର ମଣୀନ୍ଦ୍ର କୁମାର ମେହେର । ଏହି ଅଧିବେଶନରେ ମନୋଜ କୁମାର ପଣ୍ଡା, ଶୁକମୁନି ମେହେର, ବିଜୟିନୀ ଶତପଥୀ , ସୁଶୀଳ କୁମାର ବାଗ ପ୍ରମୁଖ ଉପସ୍ଥିତ ରହି ସ୍ବଭାବ କବିଙ୍କ ଜୀବନାଦର୍ଶ ଏବଂ ପ୍ରବନ୍ଧ ପାଠ କରିଥିଲେ । ଏହି ଅବସରରେ ମଣିନ୍ଦ୍ର ମେହେରଙ୍କ ଲିଖିତ ପୁସ୍ତକ ‘ମୁଁ ଗଙ୍ଗାଧରଙ୍କ ଆତ୍ମଜ କହୁଛି’ ଉନ୍ମୋଚିତ ହୋଇଥିଲା।



