ଏପ୍ରିଲରୁ ଜନଗଣନା: ଜନତାଙ୍କୁ ପଚରାଯିବ ୩୩ ପ୍ରଶ୍ନ

ଭୁବନେଶ୍ବର: ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଛି ନୂଆ ବିଜ୍ଞପ୍ତି । ଏଥର ଜନଗଣନା ବେଳେ ଲୋକଙ୍କୁ ପଚରାଯିବ ୩୩ ପ୍ରଶ୍ନ ? ଏହାର ତାଲିକା ମଧ୍ୟ ଦିଆଯାଇଛି । ଲୋକଙ୍କୁ ଘର, ପରିବାର, ଗାଡ଼ି ଆଦି ସଂକ୍ରାନ୍ତରେ ତଥ୍ୟ ଦେବାକୁ ପଡ଼ିବ । ଜନଗଣନା ସମୟରେ ପରିବାରର ମୁଖିଆଙ୍କୁ ଏହି ସବୁ ତଥ୍ୟ ପ୍ରଦାନ କରିବାକୁ ହେବ । ଦେଶରେ ଦୁଇଟି ପର୍ଯ୍ୟାୟରେ ଜନଗଣନା କରାଯିବ । ପ୍ରଥମ ପର୍ଯ୍ୟାୟ ଚଳିତବର୍ଷ ଏପ୍ରିଲରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ୩୦ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବେ । ଏଥିରେ ଘର ଗୁଡ଼ିକର ତାଲିକା ଏବଂ ଘର ସଂକ୍ରାନ୍ତ ବିଭିନ୍ନ ତଥ୍ୟ ସଂଗ୍ରହ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ୨୦୨୭ ଫେବ୍ରୁଆରୀରୁ ଆରମ୍ଭ ହେବ । ଏଥିରେ ଜନସଂଖ୍ୟା ଗଣନା ଆରମ୍ଭ କରାଯିବ। ଘରଗୁଡ଼ିକର ତାଲିକା ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ଲୋକଙ୍କୁ ନିଜ ଆଡ଼ୁ ସୂଚନା ପ୍ରଦାନ ବା ସେଲଫ୍ ଏନ୍ୟୁମରେସନର ବିକଳ୍ପ ବି ଦିଆଯିବ । ୨୦୨୧ ରେ ଜନଗଣନା ହେବାର ଥିଲା । କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଏହା ୨୦୨୭ରେ ପୂରଣ ହେବ ।



