ରାଜଧାନୀ ପ୍ରତିଷ୍ଠା ଦିବସ: ନିମନ୍ତ୍ରଣ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୟାରେ ମୁଁ ସାଂସଦ ହୋଇନି, ଲୋକମାନେ ମୋତେ ନିର୍ବାଚିତ କରିଛନ୍ତି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ଗୁରୁବାର ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ତାଙ୍କୁ ଡକାନଯିବା ନେଇ ନିଜ ପ୍ରତିକ୍ରିୟାରେ ସେ ଏହା କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ମୋତେ ଡକାନଯିବା ରାଜ୍ୟ ସରକାରଙ୍କ ସଂସ୍କାର ଓ ଚରିତ୍ରକୁ ଦର୍ଶାଉଛି । ରାଜ୍ୟ ସରକାରଙ୍କ ଅହଂକାରର ସ୍ତରକୁ ଦର୍ଶାଉଛି । ମୁଁ ଭୁବନେଶ୍ୱରର ନିର୍ବାଚିତ ସାଂସଦ,କହିବା କଥା ନୁହେଁ କିନ୍ତୁ କହିବାକୁ ପଡୁଛି । ଯେଉଁ ଲୋକମାନେ ମତେ ଭୋଟ ଦେଇ ନିର୍ବାଚିତ କରିଛନ୍ତି, ରାଜ୍ୟସରକାର ସେମାନଙ୍କୁ ଅପମାନିତ କରିଛନ୍ତି । ଏହା ରାଜ୍ୟ ସରକାର ବୁଝିବା କଥା । ଆଗାମୀ ଦିନରେ ମୁଁ ଆଇନର ସାହାଯ୍ୟ ନେବି, ସାମ୍ବିଧାନିକ ପଦବୀର ଅପମାନ ହୋଇଛି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତବର୍ଷ ମଧ୍ୟ ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକାଯାଇନଥିଲା । ଏନେଇ କ୍ଷୋଭ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ସେ ଚିଠି ଲେଖି ହସ୍ତକ୍ଷେପ କରିବାକୁ ଜଣାଇଥିଲେ । କିନ୍ତୁ ଚଳିତ ବର୍ଷ ବି ତାଙ୍କୁ ଡକା ନଯିବାକୁ ସେ ସହଜରେ ଗ୍ରହଣ କରିପାରି ନାହାନ୍ତି ।
ଅନ୍ୟପକ୍ଷରେ ସାଂସଦଙ୍କୁ ଡାକିବାକୁ ମେୟର ମନା କରିଥିବା ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସାଧାରଣ ସଂପାଦକ ସନ୍ନତ ମିଶ୍ର କହିଛନ୍ତି ।ସେ କହିଛନ୍ତି, ସାଂସଦଙ୍କୁ ଇନଭିଟେସନ ଦିଆଯିବ, କିନ୍ତୁ ଇନଭାଇଟ୍ କରାଯିବନି ବୋଲି ଆଲୋଚନା ସଭାରେ ମେୟର କହିଥିଲେ । ଏହାସହ ଗେଷ୍ଟ ତାଲିକାରେ ସାଂସଦଙ୍କ ନାଁ ରହିବ ନାହିଁ ବୋଲି ବି କହିଥିଲେ । ସେହିପରି ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରସ୍ତୁତି ବୈଠକରେ ସାଂସଦଙ୍କୁ ଡକାଯାଉ ବୋଲି ଆମେ କହିଛୁ । କେଉଁମାନେ ଅତିଥି ହେବେ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଛି । କମିଟିର ଉପସଭାପତି ସରକାରଙ୍କୁ ଏକ ତାଲିକା ଦେଇଛନ୍ତି । ସେହି ତାଲିକାରେ ସାଂସଦଙ୍କ ନାଁ ବହୁ ଉଚ୍ଚ ସ୍ଥାନରେ ଥିଲା । ଆମେ ସରକାରଙ୍କୁ ସାଂସଦଙ୍କୁ ଡାକିବାକୁ ପରାମର୍ଶ ଦେଇଥିଲୁ । ସେହିପରି ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ଉପ ସଭାପତି ପ୍ରଦ୍ୟୁମ୍ନ ମହାନ୍ତି କହିଛନ୍ତି ଯେ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ କମିଟି କରୁନାହିଁ । ଏହାକୁ ସରକାର କରୁଛନ୍ତି । ଆମେ ସାଂସଦକୁ ଭୁବନେଶ୍ୱର ପ୍ରତିଷ୍ଠା ଦିବସକୁ ଡକାଯାଉ ବୋଲି ବାରାମ୍ବାର କହିଛୁ, ହେଲେ ସରକାର ଡାକିଲେନି ।କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଭୁବନେଶ୍ୱର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ସାଂସଦ ମନକୁ ଆସିବା କଥା । ଡକାଯାଉ କି ନଡକାଯାଉ ଆମେ ଆସିବୁ, ସାଂସଦ ମଧ୍ୟ ଆସିବା ଦରକାର । ଭୁବନେଶ୍ୱରଟା କାହାର ପୈତୃକ ସମ୍ପତି ନୁହେଁ ବା କେଉଁ ଦଳର ନୁହେଁ । ଆରବର୍ଷ ଭୁବନେଶ୍ୱର ପ୍ରତିଷ୍ଠା ଦିବସକୁ ସାଂସଦ ଆସନ୍ତୁ, ଆମେ ତାଙ୍କୁ ସ୍ୱାଗତ ଜଣାଇବୁ । ତେବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯେଉଁ ବିକାଶ କରୁଛନ୍ତି ତାକୁ ସ୍ୱାଗତ କରନ୍ତୁ । ସବୁଥିରେ ଦୋଷତ୍ରୁଟି ଖୋଜିବା କାମଳତାର ପରିଚୟ । ଅନ୍ୟପକ୍ଷରେ ଭୁବନେଶ୍ୱର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଡକାଯାଇଛି ବୋଲି ଭୁବନେଶ୍ୱର ମେୟର ସୁଲଚନା ଦାସ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button