ବର୍ଦ୍ଧିତ ଏମ୍ଏସ୍ପି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି: ୬୯ ଟଙ୍କା ବଢିଲା ସର୍ବନିମ୍ନ ଧାନ ମୂଲ୍ୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ôଥକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୨୦୨୫-୨୬ ବିପଣନ ଋତୁ ପାଇଁ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧିକୁ ମଞ୍ଜୁରି ଦେଇଛନ୍ତି। ବୁଧବାର ଅପରାହ୍ନରେ ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଦେଶର କୋଟି କୋଟି କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ପାରିଶ୍ରମିକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ୨୦୨୫-୨୬ ପାଇଁ ଖରିଫ ଫସଲର ଏମ୍ଏସ୍ପି ବୃଦ୍ଧି କରିଛନ୍ତି। ତେବେ ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଯୋଗୁ କେନ୍ଦ୍ର ସରକାର ପ୍ରାୟ ୨ ଲକ୍ଷ ୭ ହଜାର କୋଟି ଟଙ୍କା ଅତିରିକ୍ତ ଭାବେ ଖର୍ଚ୍ଚ କରିବେ। ଶ୍ରୀ ବୈଷ୍ଣବ କହିଛନ୍ତି, ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)କୁ ପୂର୍ବ ଧାର୍ଯ୍ୟ ମୂଲ୍ୟ ତୁଳନାରେ ୬୯ ଟଙ୍କା ବୃଦ୍ଧି କରି ୨,୩୬୯ ଟଙ୍କା କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏହାର ଅର୍ଥ ପୂର୍ବରୁ କେନ୍ଦ୍ର ସରକାର ଧାନ (କ୍ୱିଣ୍ଟାଲ ପ୍ରତି) ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଦେଉଥିବା ବେଳେ ଏବେ ଏହା ୨୩୬୯ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଏ ଗ୍ରେଡ୍ ଧାନ ମୂଲ୍ୟ ଏବେ କ୍ୱିଣ୍ଟାଲ ପିଛା ୨୩୮୯ ଟଙ୍କାକୁ ବୃଦ୍ଧି ପାଇଛି। ଧାନ ସହିତ ତୈଳବୀଜ ଫସଲ, ବାଣିଜ୍ୟିକ ଫସଲ କପା ଏବଂ ଡାଲି ଜାତୀୟ ଫସଲଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ବିଗତ ବର୍ଷ ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଛି। ତୈଳବୀଜ ବର୍ଗରେ ଚିନାବାଦାମ୍ର ସର୍ବନିମ୍ନ ସହାୟକ ମୂଲ୍ୟ ୪୮୦ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବରୁ ଏହା କ୍ୱିଣ୍ଟାଲ୍ ପିଛା ୬୭୮୩ ଟଙ୍କା ଥିବା ବେଳେ ଏବେ ଏହା ୭୨୬୩ ଟଙ୍କାକୁ ବୃଦ୍ଧି ପାଇଛି। ନାଇଜର ସିଡ୍ ବା କଳା ରାଶି ମୂଲ୍ୟ କ୍ୱିଣ୍ଟାଲ ପିଛା ୮୨୦ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଏହାର ସର୍ବନିମ୍ନ ସହାୟକ ମୂଲ୍ୟ ଏବେ ୯୫୩୭ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ପୂର୍ବବର୍ଷ ଏମ୍ଏସ୍ପି ତୁଳନାରେ ଏଣିକି ସୂର୍ଯ୍ୟମୁଖୀ ମଞ୍ଜି କ୍ୱିଣ୍ଟାଲ ପିଛା ୪୪୧ ଟଙ୍କା, ସୋୟାବିନ୍ (ହଳଦିଆ) କ୍ୱିଣ୍ଟାଲ ପିଛା ୪୩୬ ଟଙ୍କା, ରାଶି କ୍ୱିଣ୍ଟାଲ ପିଛା ୫୭୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବାଣିଜ୍ୟିକ ଫସଲ ରୂପେ କପାର ଉଭୟ କିସମ (ମଧ୍ୟମ ଷ୍ଟେପଲ୍ ଏବଂ ଲମ୍ବା ଷ୍ଟେପଲ୍) ମୂଲ୍ୟ କ୍ୱିଣ୍ଟାଲ ପିଛା ୫୮୯ ଟଙ୍କା ଲେଖାଏ ବୃଦ୍ଧି କରାଯାଇଛି। ଡାଲି ଜାତୀୟ ଫସଲ ମଧ୍ୟରେ ହରଡ, ମୁଗ ଏବଂ ବିରି ଆଦିର ସର୍ବନିମ୍ନ ସହାୟକ ମୂଲ୍ୟ (କ୍ୱିଣ୍ଟାଲ ପିଛା) ଯଥାକ୍ରମେ ୪୫୦ ଟଙ୍କା, ୮୬ ଟଙ୍କା ଏବଂ ୪୦୦ ଟଙ୍କା ବୃଦ୍ଧି କରାଯାଇଛି। ଧାନ ବ୍ୟତୀତ ଅନ୍ୟ ଫସଲଗୁଡ଼ିକ ମଧ୍ୟରେ ମାଣ୍ଡିଆ ମୂଲ୍ୟରେ କ୍ୱିଣ୍ଟାଲ ପିଛା ୫୯୬ ଟଙ୍କା, ମକା ମୂଲ୍ୟ ଉପରେ କ୍ୱିଣ୍ଟାଲ ପିଛା ୧୭୫ ଟଙ୍କା, ବାଜରା ମୂଲ୍ୟରେ କ୍ୱିଣ୍ଟାଲ ପିଛା ୧୫୦ ଟଙ୍କା ଲେଖାଏ ବୃଦ୍ଧି କରାଯାଇଛି। ଯଅ’ର ଉଭୟ ମାଲଦାଣ୍ଡି କିସମ ଏବଂ ହାଇବ୍ରିଡ୍ କିସମର ମୂଲ୍ୟ କ୍ୱିଣ୍ଟାଲ ପିଛା ୩୨୮ ଟଙ୍କା ଲେଖାଏ ବୃଦ୍ଧି କରାଯାଇଛି ଯାହାଦ୍ୱାରା ଏହାର ମୂଲ୍ୟ କ୍ୱିଣ୍ଟାଲ ପିଛା ଯଥାକ୍ରମେ ୩୭୪୯ ଏବଂ ୩୬୯୯ ଟଙ୍କାକୁ ବୃଦ୍ଧି ପାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, କେନ୍ଦ୍ର କ୍ୟାବିନେଟ୍ କୃଷକଙ୍କ ପାଇଁ ଉଦ୍ଦିଷ୍ଟ ସୁଧ ସବ୍ସିଡି ଯୋଜନାକୁ ମଧ୍ୟ ମଞ୍ଜୁରୀ ଦେଇଛି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ କିଷାନ କ୍ରେଡିଟ କାର୍ଡ ପ୍ରଚଳନ କରାଯାଇଥିଲା। ଏହା ଚାଷୀମାନଙ୍କୁ ସେମାନଙ୍କ କାମ ପାଇଁ ଋଣ ନେବା ବହୁତ ସହଜ କରିଛି। ଏହି ଯୋଜନାରେ, ଚାଷୀମାନଙ୍କୁ ୪% ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବାକୁ ସୁବିଧା ରହିଛି। ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ କୌଣସି ଗ୍ୟାରେଣ୍ଟି ନିଆଯିବ ନାହିଁ। ଦେଶରେ ୭.୭୫ କୋଟିରୁ ଅଧିକ କିଷାନ କ୍ରେଡିଟ କାର୍ଡ ଆକାଉଣ୍ଟ ଅଛି। ଅର୍ଥାତ୍ ଏହି ଯୋଜନା ଅନ୍ତର୍ଗତ କେନ୍ଦ୍ର ସରକାର ୧୫ହଜାର ୬୪୨ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହା ଏବେ କ୍ଷୁଦ୍ର ଏବଂ ସୀମାନ୍ତ ଚାଷୀଙ୍କ ପାଇଁ ଏକ ବଡ଼ ଲାଭ ହେବ। ଅଶ୍ୱିନୀ କହିଛନ୍ତି, କୃଷକଙ୍କ ପାଇଁ ବୃଦ୍ଧି କରାଯାଇଥିବା ବର୍ଦ୍ଧିତ ଏମ୍ଏସ୍ପିରେ ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ କରାଯାଉଥିବା ସବୁ ବ୍ୟୟକୁ ସାମିଲ କରାଯାଇଛି। ଏଥିସହ ଶ୍ରମିକ, ବଳଦ ଶ୍ରମ/ମେସିନ ଶ୍ରମ, ଜମି ଭାଗ ପାଇଁ ଖର୍ଚ୍ଚ, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କୃଷି ଭବନ ଉପଯୋଗ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଆଦି ସମେତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ଲାଗୁ ମୂଲ୍ୟ ସାମିଲ ରହିଛି। ଏମ୍ଏସ୍ପି କ୍ଷେତ୍ରରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ଆଶା କରାଯାଉଥିବା ଲାଭକାରୀ ମୂଲ୍ୟର ସର୍ବାଧିକ ଲାଭ ପ୍ରଦାନ କରିବ ବୋଲି ଆକଳନ କରାଯାଇଛି। ଅବଶିଷ୍ଟ ଫସଲ ପାଇଁ, କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ୫୦ ପ୍ରତିଶତ ଲାଭ ମିଳିବ ବୋଲି ଆକଳନ କରାଯାଉଛି। ପ୍ରକାଶ, ନିକଟ ଅତୀତରେ, ସରକାର ଡାଲି ଏବଂ ତୈଳବୀଜ ଏବଂ ପୁଷ୍ଟିକର ଶସ୍ୟ/ଶ୍ରୀ ଅନ୍ନ ଭଳି ଶସ୍ୟଗୁଡ଼ିକ ପାଇଁ ଅଧିକ ଏମଏସପି ପ୍ରଦାନ କରି ଏହି ଶସ୍ୟ ଏବଂ ଅନ୍ୟ ଶସ୍ୟର ଚାଷକୁ ପ୍ରୋତ୍ସାହିତ କରୁଛନ୍ତି।