ବ୍ରେନସ ଆଇକନିକ ଟ୍ରଷ୍ଟ ଲୋକାର୍ପିତ

ଭୁବନେଶ୍ବର: ଅଗଷ୍ଟ ୯ କ୍ରାନ୍ତିଦିବସ ଓ ପବିତ୍ର ରକ୍ଷାବନ୍ଧନ ଅବସରରେ ରାଜ୍ୟର ଅବହେଳିତ, ନିଷ୍ପେସିତ,ଦଳିତ, ଛାତ୍ର ଓ ଭିନ୍ନକ୍ଷମ ମାନଙ୍କୁ ସାମାଜିକ, ଆର୍ଥିକ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ଭୁବନେଶ୍ବର ଗୀତଗୋବିନ୍ଦ ସଦନ ଠାରେ ଆନୁଷ୍ଠାନିକ ଭାବେ ଏକ ସାମାଜିକ ଅନୁଷ୍ଠାନ ବ୍ରେନସ ଆଇକନିକ ଟ୍ରଷ୍ଟର ଲୋଗୋ ଓ ଆଗାମୀ ଦିନର ଯୋଜନା ପ୍ରସ୍ତୁତ ସମ୍ପର୍କିତ ରୋଡ଼ମ୍ୟାପ ଲୋକାର୍ପିତ ହୋଇଯାଇଛି।ସମାଜରେ ବାସ କରୁଥିବା ଅବହେଳିତ ଜନସାଧାରଣ ମାନଙ୍କ ଉତଥାନ ପାଇଁ ଏହି ଅନୁଷ୍ଠାନ ଏକ ମାଇଲିଖୁଣ୍ଟ ହୋଇ କାର୍ଯ୍ୟ କରିବ ବୋଲି ସଭାରେ ସଭାପତିତ୍ୱ କରୁଥିବା ଟ୍ରଷ୍ଟର ଅଧକ୍ଷ ଇଂ ଅଶୋକ କୁମାର ଭୂୟାଁ ପ୍ରକାଶ କରିବା ସହିତ ରାଜ୍ୟର ୫ଗୋଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଟ୍ରଷ୍ଟର ପାଇଲଟ ପ୍ରୋଜେକ୍ଟ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ କରାଯିବ ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଏଏମ୍ସ ର ପୂର୍ବତନ ଡ଼ାଇରେକ୍ଟର ପଦ୍ମଶ୍ରୀ ପ୍ରଫେସର ଡ଼ାଃ ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ଆଦିବାସୀ ଅଞ୍ଚଳରେ ରହୁଥିବା ଭିନ୍ନକ୍ଷମ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଟ୍ରଷ୍ଟ ନେଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି କହିଥିଲେ।ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଲେଶ୍ବର ଫକୀର ମୋହନ ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ କହିଥିଲେ ଯେ ସମାଜସେବା ଏକ ମହତ ସେବା।ଏହାକୁ ସ୍ଲୋଗାନରେ ସୀମିତ ନରଖି ସାମାଜିକ କାର୍ଯ୍ୟରେ ଲଗାଇଲେ ସମାଜର ମଙ୍ଗଳ ହେବା ସହିତ ସକ୍ଷମ ଓ ଭିନ୍ନକ୍ଷମ ଙ୍କ ମଧ୍ୟରେ ଥିବା ଦୂରତ୍ୱ ରହିବ ନାହିଁ।ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଡ଼ଃ ବୈରାଗୀ ଚରଣ ପଟ୍ଟନାୟକ ଯୋଗଦେଇ ବ୍ରେନସ ଆଇକନିକ ଟ୍ରଷ୍ଟ ପାଇଲଟ ପ୍ରୋଜେକ୍ଟ ଭାବେ କୋରାପୁଟ, କନ୍ଧମାଳ, ବୌଦ, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିବ ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରଶାସକ ଆଇଏଏସ ଗଣେଶ୍ୱର ଜେନା ଯୋଗଦେଇ ଟ୍ରଷ୍ଟର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଉକ୍ତ ଟ୍ରଷ୍ଟ ଆଗାମୀ ଦିନରେ ସମାଜକୁ ଏକ ନୂତନ ଦିଗଦର୍ଶନ ଦେବ ବୋଲି ଅଭିହିତ କରିଥିଲେ।ମୁଖ୍ୟ ଉପଦେଷ୍ଟା ଡ଼ଃ ଗିରିଶ ରଞ୍ଜନ ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅନ୍ୟତମ ଉପଦେଷ୍ଟା ଡ଼ାଃ ବିଜୟ କୁମାର ଜେନା ସମସ୍ତ ଅତିଥି ଓ ଉପସ୍ଥିତ ବ୍ୟକ୍ତି ବିଶେଷ ମାନଙ୍କୁ ଧନ୍ୟବାଦ ଦେଇଥିଲେ।ସମାଜରେ ଉତ୍କୃଷ୍ଟ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଶେଷରେ ଟ୍ରଷ୍ଟ ତରଫରୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।