ବ୍ଲାକରୋଜ ଜାହାଜ ବୁଡ଼ି ମାମଲା; ସିବିଆଇ ଦାଖଲ କଲା ସତ୍ୟପାଠ

ଭୁବନେଶ୍ବର: ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ସଂପର୍କିତ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି ସିବିଆଇ । ଏହି ମାମଲାର ତଦନ୍ତ ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ଦୁଇ ଥର ଅନୁରୋଧ କରାଯାଇଥିବା ସତ୍ତ୍ୱେ ରାଜ୍ୟ ସରକାର ଅନୁମତି ଦେଇ ନ ଥିବା ସିବିଆଇ ନିଜ ସତ୍ୟପାଠରେ ଦର୍ଶାଇଛି। ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ସମୁଦ୍ର ଉପକୂଳରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ଜାହାଜ ବ୍ଲାକରୋଜ। ଏହି ଜାହାଜରେ ଥିଲା ୨୩,୫୦୦ ମେଟ୍ରିକ ଟନ୍ ଲୁହାପଥର। ଏଥିରେ ଜାହାଜର ଜଣେ ଯନ୍ତ୍ରୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ଦୀର୍ଘ ଦିନ ଧରି ଜାହାଜଟି ସମୁଦ୍ରରେ ପଡ଼ି ରହିବାରୁ ସମୁଦ୍ରରେ ତେଲ ଭାସିଥିଲା। ହେଲେ ଏହି ଜାହାଜକୁ କୂଳକୁ ଆଣିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଏବେ ଜାହାଜଟି ପାଣିରେ ସମ୍ପୂର୍ଣ୍ଣ ବୁଡ଼ିଯାଇଛି। ସିବିଆଇ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ କୁହାଯାଇଛି, ବ୍ଲାକରୋଜ ସୋମାଲିଆର ଜାହାଜ ହୋଇଯାଇଥିବା ବେଳେ ଭାରତୀୟ ସମୁଦ୍ର ସୀମାରେ ବୁଡ଼ି ଯାଇଥିଲା। ତେଣୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଦୃଷ୍ଟିରେ ରଖି ଉକ୍ତ ଜାହାଜ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ୨୦୧୮ ମସିହାରେ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଥିଲା ଜାହାଜ ମନ୍ତ୍ରାଳୟ । ଏନେଇ ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଅନ୍ୟ ଦେଶର ଜାହାଜ ଓଡ଼ିଶା ସୀମା ସମୁଦ୍ରରେ ବୁଡ଼ି ଯାଇଥିବା ବେଳେ ତା’ ସମ୍ପର୍କରେ ଅଧିକ ଖୋଳତାଡ଼ କରିବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ନ ଥିଲେ। ଫଳରେ ରାଜ୍ୟ ସରକାର ଅନୁମତି ନ ଦେବାରୁ ସିବିଆଇ ତଦନ୍ତ ଆରମ୍ଭ ହୋଇ ପାରିନି। ଏନେଇ ଆଜି ସିବିଆଇ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button