ବିଜେପିର ହୋହଲ୍ଲା, ବିଜେଡିର ଧାରଣା

ଭୁବନେଶ୍ବର: ଆଜି ବିଧାନସଭାରେ ଚାଲି ପାରିଲାନି ପ୍ରଶ୍ନକାଳ । ଉଭୟ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ ବିଜେପି ସଦସ୍ୟମାନେ ଅର୍ପଣ ଚାଉଳକୁ ନେଇ ଗୃହ ମଧ୍ୟଭାଗରେ ହୋହଲ୍ଲା ନାରାବାଜି କରିବା ସହିତ ପୋଷ୍ଟର ଦେଖାଇ ପ୍ରତିବାଦ କରିଥିଲେ । ବିଜେପି ଅଭିଯୋଗ କରିଛି ଯେ, ଅର୍ପଣ ଚାଉଳରେ ଉଷୁନ ଚାଉଳ ମିଶିଛି । ଉଷୁନ ଚାଉଳରେ ମହାପ୍ରଭୁଙ୍କୁ ଖେଚୁଡ଼ି ଭୋଗ ହେଲା । ଯେଉଁଥିପାଇଁ ମହାପ୍ରଭୁ ଗୋଟିଏ ଦିନ ଉପବାସ ରହିଲେ ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟ ସରକାର ନିଜର ରାଜନୈତିକ ଇଚ୍ଛା ପୂରଣ କରିବା ପାଇଁ ମହାପ୍ରଭୁଙ୍କୁ ନେଇ ରାଜନୀତି କରୁଛନ୍ତି ବୋଲି ବିଜେପି କହିଛି । ସେପଟେ ବିଜେଡି ବିଧାୟକମାନେ ନିଜ ନିଜ ସିଟ୍‌ରେ ଛିଡା ହୋଇ ନୟାଗଡ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେପି ଅଯଥା ରାଜନୀତି କରିଥିବା ଅଭିଯୋଗ କରି ନାରାବାଜି କରିଥିଲେ ।ଘଟଣାକୁ ନେଇ ବିଜେଡି ସଦସ୍ୟ ଧାରଣା ଦେଇଥିଲେ । ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ ବିଜେଡି ସଦସ୍ୟ । ବିଜେଡି ଅଭିଯୋଗ କରି କହିଛି ଯେ, ଏହି ମାମଲାରେ ଯେପରି ଭାବେ ବିଜେପିର ସଦସ୍ୟମାନେ ରାଜନୀତି କଲେ, ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କଲେ, ଦୋଷୀକୁ ଖସେଇବାକୁ ଚେଷ୍ଟା କଲେ ଆଜି ତାହା ଧରା ପଡିଗଲା । ସତ୍ୟତା ପଦାରେ ପଡିଛି । ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ହୋଇଛି । ତେଣୁ ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ ଏବଂ ବିଜେପି ବିଧାୟକମାନେ ଜନସାଧାରଣଙ୍କ ଆଗର ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଛି । ଉଭୟ ବିଜେପି ଏବଂ ବିଜେଡି ସଦସ୍ୟମାନେ ମୁହାଁମୁହିଁ  ହୋଇଥିଲେ । ଯେଉଁଥି ପାଇଁ ବାଚସ୍ପତି ବାରମ୍ବାର   ଗୃହକୁ ସ୍ୱାଭାବିକ କରିବା ପାଇଁ ଅନୁରୋଧ କରିଥିଲେ ହେଲେ କେହି ଶୁଣି ନଥିଲେ । ବାଧ୍ୟହୋଇ ସାଢେ ୧୧ଟଆ ପର୍ୟ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ । ସାଢେ ୧୧ଟାରେ  ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ବାଧ୍ୟ ହୋଇ ବାଚସ୍ପତି ପୁଣି ସାଢେ ୧୨ ପର୍ୟ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ସାଢେ ୧୨ଟାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବା ଯୋଗୁଁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି ।

Related Articles

Leave a Reply

Your email address will not be published.

Back to top button