ନୂଆପଡ଼ା ଉପନିର୍ବାଚନରେ ହେବ ବିଗ୍ ଫାଇଟ୍‌ରେ ଜୟ ଢୋଲକିଆ ବିଜେପି ପ୍ରାର୍ଥୀ: ଆଜି ଭରିବେ ନାମାଙ୍କନ ପତ୍ର

ଭୁବନେଶ୍ୱର,: ନୂଆପଡ଼ା ଉପନିର୍ବାଚନକୁ ନେଇ ସରଗରମ ହୋଇଛି ରାଜନୀତି। ପୂର୍ବରୁ କଂଗ୍ରେସ ତା’ର ପ୍ରାର୍ଥୀ ଘୋଷଣା କରିସାରିଥିଲା ବେଳେ ବୁଧବାର ଉଭୟ ବିଜେପି ଓ ବିଜେଡି ସେମାନଙ୍କର ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥର ନୂଆପଡ଼ାରେ ପ୍ରମୁଖ ୩ ଦଳ ମଧ୍ୟରେ ବିଗ୍ ଫାଇଟ୍ ହେବ ବୋଲି ରାଜନୀତି ସମୀକ୍ଷକଙ୍କ ମତ। ଜୟ ଢୋଲକିଆ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ନାଁ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ଏନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନିକଟରେ ଜୟ ବିଜେପିରେ ଯୋଗଦେଇଥିଲେ। ସେ ନିଜ ପିତାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବେ ବୋଲି ପ୍ରକାଶ କରିଥିଲେ। ଜୟ ଢୋଲକିଆ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବେ। ପୂର୍ବାହ୍ଣ ସାଢ଼େ ୧୦ରେ ନୂଆପଡ଼ାସ୍ଥିତ ‘ଗୋତମା’ ଏୟାରଷ୍ଟ୍ରିପ୍ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଏଥିରେ ବିଜେଡି ଓ କଂଗ୍ରେସ ଦଳର ଶତାଧିକ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର୍‌ଙ୍କ ସମେତ ପୂର୍ବତନ ଜନପ୍ରତିନିଧି ଓ ସମର୍ଥକମାନେ ସାମିଲ ହେବେ। ଏହା ପରେ ଏକ ବିଶାଳ ଶୋଭାଯାତ୍ରାରେ ଜୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିବେ। ଏହି ଅବସରରେ ହଜାର ହଜାର କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତାଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ମନ୍ତ୍ରୀମଣ୍ଡଳର ସଦସ୍ୟ ବୃନ୍ଦ, ସାଂସଦ ଓ ବିଧାୟକ ଏବଂ ଦଳୀୟ ପଦାଧିକାରୀ ଉପସ୍ଥିତ ରହିବେ। ଏପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି। ତାଙ୍କର ନାଁକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିବା ପରେ ଆନୁଷ୍ଠାନିକ ଘୋଷଣା ହୋଇଛି। ସ୍ନେହାଙ୍ଗିନୀ ଅତାବିରାରୁ ଦୁଇଥର ବିଧାୟିକା ହୋଇଥିଲେ। ନବୀନ ବାବୁଙ୍କ ମନ୍ତ୍ରୀମଣ୍ଡଳରେ ସେ ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ମଧ୍ୟ ଥିଲେ। ମାତ୍ର ସେ ଅତାବିରାରୁ ୨୦୨୪ ନିର୍ବାଚନରେ ହାରିଥିଲେ। ଏବେ ସେ ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀହେବା ପରେ ଲଢ଼େଇ ତୀବ୍ର ହେବ ବୋଲି କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button