୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜୟନ୍ତୀ ଅବସରରେ ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜନସମ୍ପର୍କ ଅଭିଯାନ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନତା ମଇଦାନ ଗାନ୍ଧୀ ପାର୍କରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅଶୋକ ପଣ୍ଡାଙ୍କ ଆବାହକତ୍ୱରେ ଜନସମ୍ପର୍କ ଅଭିଯାନର ସଂକଳ୍ପ ନିଆଯାଇଅଛି। ଏହି ଅବସରରେ ଦଳର ବରିଷ୍ଠ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ର ଜନସମ୍ପର୍କ ଅଭିଯାନର ସଂକଳ୍ପ ପାଠ କରାଇଥିଲେ। ମହାତ୍ମା ଗାନ୍ଧୀ ଅହିଂସାର ପ୍ରତୀକ। ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନ ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁବେଳେ ଦାବି କରି ଆସୁଛନ୍ତି। ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ବିଜେଡି ସଂଗ୍ରାମ ଜାରି ରଖିବ ବୋଲି ସଂକଳ୍ପ ନିଆଯାଇଛି। ଆସନ୍ତା ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ପଦଯାତ୍ରାରେ ଘର ଘର ବୁଲି ନବୀନ ପଟ୍ଟନାୟକ ସରକାରଙ୍କ ସଫଳତା ଓ ବର୍ତ୍ତମାନର ବିଜେପି ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି। ଏହା ନଭେମ୍ବର ୯ ଯାଏଁ ମାସେ ବ୍ୟାପୀ ପ୍ରତି ୱାର୍ଡ, ବ୍ଲକ, ପଞ୍ଚାୟତ, ଜିଲ୍ଲା ପରିଷଦ, ପୌରାଞ୍ଚଳ ଓ ନିର୍ବାଚନ ମଣ୍ଡଳୀରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି। ଗାନ୍ଧୀ ଜୟନ୍ତୀ ଅବସରରେ ବାର୍ତ୍ତା ଦେଇ ନବୀନ କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଅହିଂସାକୁ ଭାରତର ସମ୍ବିଧାନର ମୁଖବନ୍ଧରେ ସାମିଲ କରିବା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।