ବିଜେଡିକୁ ଝଟକା: ପାଟକୁରାରେ ୮୦ ଲୋକପ୍ରତିନିଧିଙ୍କ ଇସ୍ତଫା

ଭୁବନେଶ୍ବର: ବିଜେଡିର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପାଟକୁରାରେ ଦଳୀୟ ସଂଗଠନ ଏକ ପ୍ରକାର ଭୁଶୁଡ଼ିବାକୁ ବସିଛି। ରବିବାର ଦିନ ଦଳର ପ୍ରାଥମିକ ସଦସ୍ୟ ପଦରୁ ୮୦ ଜଣ ଲୋକପ୍ରତିନିଧିଙ୍କ ସମେତ ଶତାଧିକ କର୍ମୀ ଇସ୍ତଫା ଦେଇଛନ୍ତି। ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ବିରୋଧ କରି ଦଳର ଏହି ତୃଣମୂଳ ସ୍ତରର ନେତାମାନେ ବିଜେଡି ସହ ସମ୍ପର୍କ ଛିନ୍ନ କରିଛନ୍ତି। ଗତ ଜାନୁଆରୀ ୧୫ ତାରିଖରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିଥିଲେ। ନିଲମ୍ବନ ନିଷ୍ପତ୍ତିର ପୁନଃ ବିଚାର ପାଇଁ କର୍ମୀମାନେ ଶଙ୍ଖ ଭବନରେ ହୋହଲ୍ଲା କରିଥିଲେ ମଧ୍ୟ ସେମାନଙ୍କ କଥା ଶୁଣାଯାଇନଥିଲା। ପରବର୍ତ୍ତୀ ସମୟରେ ବିଧାୟକଙ୍କୁ ସମର୍ଥନ ଜଣାଇଥିବାରୁ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଥିଲା। ପ୍ରାୟ ୩ ମାସ ଧରି ଦଳର ନିଷ୍ପତ୍ତିକୁ ଅପେକ୍ଷା କରିବା ପରେ, ଶେଷରେ କର୍ମୀମାନେ ବିଧାୟକଙ୍କ ସହ ରହିବାକୁ ସଂକଳ୍ପ ନେଇଛନ୍ତି। ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ଗରଦପୁର ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ରହିଛନ୍ତି। ବିଜୁ ବାବୁଙ୍କ ଗଡ଼ରେ ଏହି ସାମୂହିକ ଇସ୍ତଫା ଆଗାମୀ ଦିନରେ ବିଜେଡି ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button