ବିନାୟକ ପବ୍ଲିକ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର : ଜାନୁଆରୀ ୩୧ ତାରିଖରେ ଭୁବନେଶ୍ୱର ପଟିଆସ୍ଥିତ ନନ୍ଦନ ବିହାରଠାରେ ବିନାୟକ ପବ୍ଲିକ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ମୁଖ୍ୟ ବକ୍ତା ଦୈନିକ ଖବରକାଗଜ ‘ପ୍ରତିକାର’ ର ସମ୍ପାଦକ ସୁଭାଶିଷ ମିଶ୍ର, ସମ୍ମାନିତ ଅତିଥି ୧ ନମ୍ବର ୱାର୍ଡ ର କର୍ପୋରେଟର ପପୁ ରାଉତ, ବୁଦ୍ଧିଜୀବୀ ବିଜୟଲକ୍ଷ୍ମୀ ମ୍ୟାଡ଼ାମ, ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଶାନ୍ତ ବେଉରିଆ ପ୍ରମୁଖ ଯୋଗ ଦେଇଥିଲେ |

‘ଶିଶୁଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କେବଳ ଅଭିଭାବକଙ୍କ ଦାଇତ୍ୱ ନୁହେଁ ବରଂ ଗୁରୁଜୀ-ଗୁରୁମା ଙ୍କ କର୍ତ୍ତବ୍ୟ ବୋଲି କହିବା ସହ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି ପାଇଁ ଆଶିଷ ଲୋଡ଼ିଥିଲେ’ ବିଧାୟକ ସୁଶାନ୍ତ ରାଉତ। ସମ୍ମାନିତ ଅତିଥି କର୍ପୋରେଟର ପପୁ ରାଉତ ଉପଦେଶ ଦେଇ କହିଥିଲେ, ”ଛୋଟ ପିଲାମାନଙ୍କୁ ମୋବାଇଲ ଠାରୁ ଦୁରେଇ ରଖନ୍ତୁ, ଆଉ ତାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରନ୍ତୁ ।”

ମୁଖ୍ୟ ବକ୍ତା ସୁଭାଶିଷ ମିଶ୍ର ତାଙ୍କ ଅଭିଭାଷଣରେ କହିଲେ, ”ବିଦ୍ୟାଳୟ ଚଳାଇବା ଛୋଟ କଥା ନୁହେଁ ବରଂ ଏହା ଶ୍ରେଷ୍ଠ ମାନସିକତାର ପରିଚୟ | ବିଦ୍ୟାଳୟର ନିର୍ଦ୍ଦେଶକ ଏକ ବଡ ପଦକ୍ଷେପ ନେଇଛନ୍ତି ଆଉ ଅଭିଭାବକଙ୍କୁ ଧନ୍ୟବାଦ ଯେଉଁମାନେ ପ୍ରଶାନ୍ତ ସାରଙ୍କ ଶିକ୍ଷା ପଦ୍ଧତିକୁ ଭରସା କରି ତାଙ୍କ ପିଲାମାନଙ୍କୁ ବିନାୟକ ପବ୍ଲିକ ସ୍କୁଲରେ ପଢ଼ାଉଛନ୍ତି |’’
ଶିଶୁଙ୍କୁ ଉତ୍ତମମାନର ଶିକ୍ଷା ପ୍ରଦାନ ସହ ତାଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ବିନାୟକ ପବ୍ଲିକ ସ୍କୁଲର ମିଶନ ବୋଲି ନିର୍ଦ୍ଦେଶକ ପ୍ରଶାନ୍ତ ବେଉରିଆ ମତ ଦେଇଥିଲେ | ପରିଶେଷରେ କ୍ରୀଡ଼ାରେ ସଫଳ ହେଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ପୁରସ୍କାର ବିତରଣୀ ଉତ୍ସବ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ରଙ୍ଗାରଙ୍ଗ କାର୍ଯ୍ୟକ୍ରମ’ ଆରମ୍ଭ ହୋଇଥିଲା।

କୁନି କୁନି ପିଲାମାନଙ୍କ ଶିକ୍ଷଣୀୟ ନାଟକ, ଗୀତ, ନାଚ ଇତ୍ୟାଦି ଦେଖିବା ପାଇଁ ଅଭିଭାବକ ଓ ନନ୍ଦନବିହାର ଅଧିବାସୀମାନେ ଯୋଗ ଦେଇଥିଲେ। ବିଦ୍ୟାଳୟର ଗୁରୁମାମାନଙ୍କ ଦ୍ୱାରା ଶିଖା ଯାଇଥିବା ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଆବାଳ ବୃଦ୍ଧବନିତା ଉପଭୋଗ କରିବା ସହ ବିନାୟକ ପବ୍ଲିକ ସ୍କୁଲର ଭୁୟସୀ ପ୍ରଶଂସା କରିଥିଲେ।



