ତିନି ମାସ ପରେ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ଭିତରକନିକା

ଭୁବନେଶ୍ବର: ବଉଳା କୁମ୍ଭୀର ପ୍ରଜନନ ପାଇଁ ତିନିମାସ ଧରି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲାଯାଇଛି। ଡାଙ୍ଗମାଳସ୍ଥିତ ରାଜକନିକା ବନାଚଁଳ ଠାରେ ଭିତରକନିକା ପରିଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟମାନଙ୍କୁ ଗୋଲାପଫୁଲ ଦିଆଯାଇ ସ୍ୱାଗତ କରାଯାଇଥିଲା। ଭିତରକନିକା ଜାତୀୟ ଉଦ୍ୟାନର ଚିତଲ ହରିଣ, ବଉଳାକୁମ୍ଭୀରକୁ ଦେଖି ବିମୋହିତ ହୋଇଯାଇଥିଲେ ପର୍ଯ୍ୟଟକମାନେ। ଭିତରକନିକାର ହେନ୍ତାଳ ଜଂଗଲ ଭିତରେ ସୂର୍ଯ୍ୟକିରଣ ସେକି ହେଉଥିବା କୁମ୍ଭୀରକୁ ଦେଖି ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭୁତି ନେଇଥିଲେ। ଭିତରକନିକା ମଧ୍ୟରେ ରହିଥିବା କୁମ୍ଭୀର ପ୍ରଜନନ କେନ୍ଦ୍ର ମଧ୍ୟରେ ଲାଳନପାଳନ ହେଉଥିବା କୁମ୍ଭୀର ଛୁଆ ତଥା ସ୍ୱତନ୍ତ୍ର ପୋଖରୀ ମଧ୍ୟରେ ନିଜର ଅଣ୍ଡାବସାକୁ ଜଗି ରହିଥିବା ମଲ୍ଲୀକୁମ୍ଭୀରକୁ ଦେଖି ପର୍ଯ୍ୟଟକମାନେ ବିମୋହିତ ହୋଇଯାଇଥିଲେ। ଭିତରକନିକା ମଧ୍ୟରେ ଶବ୍ଦ କରୁନଥିବା ପ୍ରାକୃତିକ ବାତାବରଣ ଅନୁକୁଳ ବ୍ୟାଟେରୀଯାନରେ ପର୍ଯ୍ୟଟକମାନଙ୍କୁ ନେବା ଆଣିବା କରିବା ତଥା ପରିଦର୍ସନ କରାଇବା ପାଇଁ ବନବିଭାଗ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି। ଭିତରକନିକା ଆସି ଯେପରି ପ୍ରକୃତି ପ୍ରେମୀ ବନ୍ୟଜନ୍ତୁ ପ୍ରେମୀ ପର୍ଯ୍ୟଟକମାନେ ସୁଖଦ ଅନୁଭୁତି ନେଇ ଫେରିବେ ସେଥିପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥାଗ୍ରହଣ କରଯାଇଛି। ଭିତରକନିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଭିତରକନିକାର ସୌନ୍ଦର୍ଯ୍ୟ ବଖାଣୀଥିବା ବେଳେ ପର୍ଯ୍ୟଟକମାନଙ୍କ ପାଇଁ କରାଯାଉଥିବା ବ୍ୟବସ୍ଥା ସଂପର୍କରେ ରାଜନଗର ବନବିଭାଗ ଡିଏଫଓ କେ ସୁଦର୍ଶନ ଗୋପୀନାଥ ଯାଦବ ଅଧିକ ସୂଚନା ଦେଇଛନ୍ତି।