ଭରତପୁର ମାମଲା:ସତ୍ୟପାଠ ଆହ୍ବାନ କରାଯିବ

ଭୁବନେଶ୍ୱର: ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ପ୍ରଥମ ବୈଠକ ପରେ କମିଶନଙ୍କ ସଚିବ କହିଛନ୍ତି, ଘଟଣାକୁ ନେଇ ସତ୍ୟପାଠ ଆହ୍ବାନ କରାଯିବ । ସତ୍ୟପାଠ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯିବ । ମଙ୍ଗଳବାରଠାରୁ ୨୧ ଦିନ ପର୍ୟ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ। ସତ୍ୟପାଠ ଯାଞ୍ଚ ପରେ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ ବୋଲି ସଚିବ କହିଛନ୍ତି। ସେ ଆହୁରି କହିଛନ୍ତି, ଘଟଣାରେ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ପଚରାଉଚରା ହେବ। ଅନ୍ୟ ପକ୍ଷମାନଙ୍କୁ କମିଶନରେ ହାଜର ପାଇଁ ସମନ କରାଯିବ ।ସାକ୍ଷ୍ୟଗ୍ରହଣ, ତଦନ୍ତ ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ସଚିବ କହିଛନ୍ତି। ଅନ୍ୟପକ୍ଷରେ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ୟାତନା ମାମଲାରେ ନିଲମ୍ବିତ ଥାନା ଆଇଆଇସିଙ୍କ ସମେତ ୫ ପୁଲିସ ଅଧିକାରୀଙ୍କର ଆଜି ହେବ ପଲିଗ୍ରାଫ ଟେଷ୍ଟ।ଗୁଜରାଟ ଗାନ୍ଧିନଗରସ୍ଥିତ ଫୋରେନସିକ୍ ଲାବ୍ରୋଟୋରୀରେ ଆଜି ସେମାନଙ୍କର ମିଛ ଧରା ପରୀକ୍ଷା କରାଯିବ। ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟଙ୍କ ଅନୁମତି ପରେ ସେମାନଙ୍କୁ ସାଙ୍ଗରେ ନେଇ ଯାଇଛି ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ଆଇଆଇସିପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟର ସମ୍ମୁଖୀନ ହେବେ।  ଅବଶିଷ୍ଟ ୪ ପୁଲିସଙ୍କର କେବଳ ପଲିଗ୍ରାଫ ଟେଷ୍ଟ ହେବ । ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଏହି ଏସ୍‌ଆଇଙ୍କୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ସାକ୍ଷୀ ଭାବେ ଗ୍ରହଣ କରାଯାଇଛି। କିନ୍ତୁ ନିଲମ୍ବିତ କନଷ୍ଟେବଲଙ୍କର କୌଣସି ଟେଷ୍ଟ କରାଯିବ ନାହିଁ।ସେମାନଙ୍କଠାରୁ ଘଟଣା ଦିନର ସତ ଜାଣିବାକୁ ଚାହିଁଛି କ୍ରାଇମବ୍ରାଞ୍ଚ।

Related Articles

Leave a Reply

Your email address will not be published.

Back to top button