ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ ପ୍ରକଳ୍ପ: ସମାପ୍ତ ହେଲାଣି ୫୦% ନିର୍ମାଣ କାର୍ଯ୍ୟ

ଭୁବନେଶ୍ଵର: ପୂର୍ବ ତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଭଦ୍ରକ ଏବଂ କଟକ ରେଳ ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଅଛି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୫୦% ରୁ ଅଧିକ ସମାପ୍ତ ହୋଇଛି। ହରିଦାସପୁର ଏବଂ ବୈରୀ ମଧ୍ୟରେ ୧୬.୮୦ କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗ ଯାହା ଜୁନ୍ ୨୦୨୩ ର ଶେଷ ସପ୍ତାହ ସୁଦ୍ଧା ଶେଷ ହେବାର ଥିଲା ତାହା ମଇ ୨୦୨୩ ର ପ୍ରଥମ ସପ୍ତାହ ପୂର୍ବରୁ ସମାପ୍ତ ହୋଇଛି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ନିରନ୍ତର ସମୀକ୍ଷା ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସହ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ସମ୍ବନ୍ଧରେ ତର୍ଜମା କରିବା ଦ୍ୱାରା ସମ୍ଭବ ହୋଇଛି। ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡିକ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦେବାକୁ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରଙ୍କ ସଂସ୍ଥା ସମେତ ସହଭାଗୀ ମାନଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଓଡିଶାରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ଭାବେ ନଜର ରଖିଛନ୍ତି। ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ କାର୍ଯ୍ୟ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଅସୁବିଧାଜନକ ଟ୍ରେନ୍ ଚଳାଚଳକୁ ଏଡାଇ ଦେଇ ପାରିବ। ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ (୯୨.୧୯ କିମି) ପ୍ରକଳ୍ପ ୨୦୧୨-୧୩ ରେ ଅନ୍ତର୍ଭୁକ୍ତ ହୋଇଥିଲା ଏବଂ ଅକ୍ଟୋବର ୨୦୧୫ ରେ ଅନ୍ତିମ ମଞ୍ଜୁରୀ ଦିଆଯାଇଥିଲା। ଜଖପୁରା ଏବଂ ହରିଦାସପୁର ମଧ୍ୟରେ ୨୩.୫୩କିମି ରେଳ ମାର୍ଗ ଏପ୍ରିଲ ୨୦୧୬ ରେ , କପିଳାସ ରୋଡ୍ ଠାରୁ ଶାଳଗାଁ ପର୍ଯ୍ୟନ୍ତ ୪.୩୦ କିମି ରେଳ ମାର୍ଗ ମଇ ୨୦୧୯ ରେ ଏବଂ କପିଳାସ ରୋଡ୍ ଠାରୁ ନିର୍ଗୁଣ୍ଡି ପର୍ଯ୍ୟନ୍ତ ୪.୨୦ କିମି ରେଳ ମାର୍ଗ ଅକ୍ଟୋବର ୨୦୨୨ ରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହୋଇଛି। ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ମାର୍ଗ ବଳକା ୮୩.୬୯ କିମି କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ୨୦୨୩-୨୪। ପ୍ରକଳ୍ପର ସର୍ବଶେଷ ଆନୁମାନିକ ମୂଲ୍ୟ ବର୍ତମାନ ୧୨୮୪.୩୯ କୋଟି ଥିବାବେଳେ ଏବେ ସୁଦ୍ଧା ୬୪୮.୬୮ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ ପାଇଁ ଭୌତିକ ପ୍ରଗତି ହେଉଛି ପ୍ରାୟ ୫୪% ଏବଂ ଖର୍ଚ୍ଚ ପ୍ରାୟ ୫୦.୫%।

Related Articles

Leave a Reply

Your email address will not be published. Required fields are marked *

Back to top button