ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

ଭୁବନେଶ୍ବର: ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ମନା କଲା କେନ୍ଦ୍ର ସଂସ୍କୃତି ବିଭାଗ । ଚିଠି ମାଧ୍ୟମରେ କଟକ ମେୟରଙ୍କୁ ଉତ୍ତର ରଖିଛି ବିଭାଗ । ବାଲିଯାତ୍ରା ରାଜ୍ୟସ୍ତରୀୟ ମାନ୍ୟତା ମିଳିବା ପରେ ଏବେ ଜାତୀୟ ସ୍ତରୀୟ ମାନ୍ୟତା ପାଇବା ଦାବି ଜୋର୍‌ ଧରିଥିଲା । ହେଲେ ଏସବୁ ଦାବି ଉପରେ ପଡିଛି ପୁର୍ଣ୍ଣଛେଦ । ଜାଚୀୟ ମାନ୍ୟତା ଦେବକୁ ମନା କରିଛି କେନ୍ଦ୍ର ସଂସ୍କୃତି ବିଭାଗ । ବିଶ୍ୱ ପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରାର ସ୍ୱତନ୍ତ୍ର ପରିଚୟ ରହିଛି । ଦୀର୍ଘ ବର୍ଷରୁ ପାରମ୍ପରିକ ଭାବେ ହୋଇ ଆସୁଥିବା ଏହି ଯାତ୍ରାରେ ଦେଶ ବିଦେଶରୁ ବ୍ୟବସାୟୀମାନେ ଆସି ବ୍ୟବସାୟ କରିଥାନ୍ତି ।୨୦୧୯ ମସିହାରେ ଏହାକୁ ରାଜ୍ୟ ସ୍ତରୀୟ ଯାତ୍ରାର ମାନ୍ୟତା ମିଳିଥିଲା। ଏହାପରେ କରୋନା ପାଇଁ ବାଲିଯାତ୍ରା ହୋଇପାରୁ ନ ଥିବାବେଳେ ୨୦୨୨ ମସିହାରେ ବେଶ୍‌ ଜାକଜମକରେ ଏହା ଅନୁଷ୍ଠିତ ହୋଇଥିଲା । ଦୁଇ ହଜାରରୁ ଅଧିକ ବ୍ୟବସାୟୀ, ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଗହଳିଚହଳି ଏବଂ କୋଟି କୋଟି ଟଙ୍କାର କାରବାର ଭିତରେ ଶେଷ ହୋଇଥିଲା କଟକର ଐତିହାସିକ ବାଲିଯାତ୍ରା ।ପ୍ରତିବର୍ଷ ନୂଆ ନୂଆ କାର୍ୟ୍ୟକ୍ରମ କରିବା ସହିତ ସାଂସ୍କୃତିକ କାର୍ୟ୍ୟକ୍ରମ ବେଶ୍‌ ଆଡ଼ମ୍ବର ସହ ହେଉଛି । ତେବେ ଏହା ମଧ୍ୟରେ ଏବେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ଦାବି ଜୋର୍‌ ଧରିଛି । ୨୦୨୦ ମସିହାରେ ଜାତୀୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ୨୦୨୧ ମସିହାରେ ତତ୍କାଳୀନ ସାଂସଦ ତଥା ଏବର ମେୟର ସୁବାସ ସିଂହ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହାସହ ଅନେକ ଥର କ୍ୟାବିନେଟ୍‌ରେ ଏନେଇ ଆଲୋଚନା ହୋଇଛି । ତାହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଐତିହାସିକ ବାଲିଯାତ୍ରାକୁ ପ୍ରଶଂସା କରିଛନ୍ତି । ଏହାପରେ କିଛି ଦିନ ତଳେ ଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଜି କ୍ରିଷ୍ଣାରେଡିଙ୍କୁ ଭେଟି ଦାବିପତ୍ର ଦେଇଥିଲେ ମେୟର ଶ୍ରୀ ସିଂହ। ଜାତୀୟ ମାନ୍ୟତା ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଦାବି ଜୋର୍‌ ଧରୁଥିଲାବେଳେ ଏ ଦିଗରେ କେବେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ତାହା ସନ୍ଦେହ ଘେରରେ ।

Related Articles

Leave a Reply

Your email address will not be published.

Back to top button