ସାରା ଓଡ଼ିଶାରେ ହର୍ଷ ଓ ଆନନ୍ଦରେ ପାଳିତ ହେଉଛି ‘ବଡଦିନ’
ଭୁବନେଶ୍ବର: ସାରା ଓଡ଼ିଶାରେ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଉଛି ବଡଦିନ। ପ୍ରଭୁ ଯୀଶୁଙ୍କର ଜନ୍ମଦିନ ଅର୍ଥାତ୍ ବଡଦିନ ପାଇଁ ସାରା ରାଜ୍ୟରେ ଏକ ଖୁସିର ଉତ୍ସବ ଲାଗି ରହିଛି। ଏହି ଅବସରରେ ବିଭିନ୍ନ ଚର୍ଚ୍ଚ ପକ୍ଷରୁ ସ୍ବତନ୍ତ୍ର ପ୍ରାର୍ଥନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଛି। ଆଜି ମଧ୍ୟରାତ୍ରିରେ ପ୍ରଭୁ ଯୀଶୁଙ୍କର ଜନ୍ମ ହୋଇଥିବାବେଳେ ଏହାକୁ ବେଶ୍ ସ୍ବତନ୍ତ୍ର ଢଙ୍ଗରେ ପାଳନ କରିଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀମାନେ। ବଡ଼ଦିନ ଅବସରରେ ରାଜ୍ୟର ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ଆଲୋକସଜ୍ଜା କରାଯିବା ସହିତ କ୍ରିସମାସ ଟ୍ରି, ମହମବତୀ ଓ ଘଣ୍ଟି ଦ୍ବାରା ସଜାଯାଇଛି। ଗତକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ବିଶେଷ ପ୍ରାର୍ଥନା କରାଯାଇଥିଲା। ଏଥିରେ ହଜାର ହଜାର ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଚର୍ଚ୍ଚ ପକ୍ଷରୁ ଭଜନ, ପ୍ରାର୍ଥନା, ଗୀତ ଓ ଉପହାର ଆଦାନ ପ୍ରଦାନ କରାଯାଇଥିଲା। ଭୁବନେଶ୍ବର କଟକ ବ୍ୟତୀତ, ବାଲେଶ୍ବର, ବ୍ରହ୍ମପୁର, ରାଉରକେଲା, କନ୍ଧମାଳ ଆଦି ସହରଗୁଡ଼ିକରେ ବେଶ୍ ଶାନ୍ତିପୂର୍ଣ୍ଣ ଭାବରେ ବଡଦିନ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ବଡଦିନର ଶୁଭେଚ୍ଛା ଜଣାଇଛନ୍ତି।