ଆରମ୍ଭ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା: ଉପକୃତ ହେବେ ୩ କୋଟି ୫୨ ଲକ୍ଷ ହିତାଧିକାରୀ

ଭୁବନେଶ୍ବର : ବହୁଚର୍ଚ୍ଚିତ ତଥା ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଶୁକ୍ରବାର କଟକ ସ୍ଥିତ ବାଲିଯାତ୍ରା ପଡ଼ିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ନଡ୍ଡା କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନା ଏକ ଇନ୍ସ୍ୟୁରାନ୍ସ ନୁହେଁ ଏହା ହେଉଛି ଏକ ଆସ୍ୟୁରାନ୍ସ । ଏହା ପୃଥିବୀର ସବୁଠାରୁ ବୃହତ୍ତମ ଯୋଜନା । ବର୍ତ୍ତମାନ ସୁଦ୍ଧା ଏଥିରେ ୮କୋଟି ୯୦ ଲକ୍ଷ ଲୋକ ଉପକୃତ ହୋଇସାରିଛନ୍ତି । ନିର୍ବାଚନ ସମୟରେ ଆମେ ଏହାକୁ ଲାଗୁକରିବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ ଏବଂ ଏହାକୁ ଆଜି ଲାଗୁ ମଧ୍ୟ କଲୁ ବୋଲି ସେ କହିଥିଲେ । ଓଡ଼ିଶାରେ ଶାସନ ଭାର ଗ୍ରହଣ କରିବାର ମାତ୍ର ୧୦ ମାସ ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିବାରୁ ଶ୍ରୀ ନଡ୍ଡା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଦେବା ସହିତ ଟି.ବି ନିରାକରଣ ଦିଗରେ ଓଡ଼ିଶା ଉଲ୍ଲେଖନୀୟ କାର୍ଯ୍ୟ କରୁଛି ବୋଲି କହିଥିଲେ । ଅଧିକରୁ ଅଧିକ ହିତାଧିକାରୀ କିପରି ଏହି ଯୋଜନାରେ ସାମିଲ ହୋଇପାରିବେ ଏବଂ କାର୍ଡ ବନାଇବେ ସେଥିନେଇ ସଚେତନ କରିବାକୁ ପ୍ରତି ଘରୁକୁ ଯିବା ପାଇଁ ସେ ବିଧାୟକମାନଙ୍କୁ ଅନୁରୋଧ କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ଅଭିଭାଷଣରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରି କହିଲେ ଯେ ଓଡ଼ିଶା ବିକାଶ ଇତିହାସରେ ଆଜି ଆଉ ଏକ ଅଧ୍ୟାୟ ଯୋଡ଼ିହୋଇଛି । ଗତ ପ୍ରାୟ ୬ ବର୍ଷ ହେଲା ରାଜନୈତିକ କାରଣରୁ ରାଜ୍ୟବାସୀଙ୍କୁ ବଞ୍ଚିତ କରାଯାଇଥିବା ଏହି ଐତିହାସିକ ଯୋଜନା ଆଜି ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସାକରି ମୁଖ୍ୟମନ୍ତ୍ରୀ କହିଲେ, ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସାମାଜିକ ଓ ଆର୍ôଥକ ପ୍ରଗତିର ଏକ ମୂଳଭିତ୍ତି । ଶାରୀରିକ ଓ ମାନସିକ ସୁସ୍ଥତା ନାଗରିକମାନଙ୍କୁ କାର୍ଯ୍ୟକ୍ଷମ, ଆତ୍ମବିଶ୍ୱାସୀ ଓ ସ୍ୱାଭିମାନୀ କରିବ । ସ୍ୱାଭିମାନୀ ନାଗରିକମାନେ ହିଁ ସମୃଦ୍ଧିର ସ୍ୱପ୍ନକୁ ସାକାର କରିବେ । ଏହି ସତ୍ୟକୁ ଅନୁଭବ କରି ପ୍ରଧାନମନ୍ତ୍ରୀ ସାରାଦେଶରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଅର୍ଥ କେବେ ବାଧକ ହେବ ନାହିଁ । ଏହି ଯୋଜନାରେ ଆଜି ରାଜ୍ୟର ପ୍ରାୟ ୧ କୋଟି ୩ ଲକ୍ଷ ପରିବାରର ୩ କୋଟି ୪୬ ଲକ୍ଷ ହିତାଧିକାରୀ ଉପକୃତ ହେବେ । ପ୍ରତି ପରିବାରକୁ ଦେଶର ବିଭିନ୍ନ ରାଜ୍ୟରେ ତାଲିକାଭୁକ୍ତ ୨୯ ହଜାର ଘରୋଇ ଏବଂ ସରକାରୀ ହସ୍ପିଟାଲ୍ରେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପରିବାରର ମହିଳା ସଦସ୍ୟମାନଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ । ଏହାଛଡ଼ା, ୭୦ ବା ତା’ଠୁ ଅଧିକ ବୟସ୍କ ବରିଷ୍ଠ ନାଗରିକମାନଙ୍କୁ ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନାରେ ପରିବାର ପିଛା ୫ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ସୁବିଧା ମିଳିବ । ଆୟୁଷ୍ଠାନ ବୟୋ-ବନ୍ଦନା ଯୋଜନାରେ ପ୍ରାୟ ୨୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହେବେ । ପୂର୍ବରୁ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ସାମିଲ ହୋଇଥିବା ବୟୋଜ୍ୟେଷ୍ଠ ଲୋକଙ୍କ ସହିତ ଅତିରିକ୍ତ ୬ ଲକ୍ଷ ଲୋକ କାର୍ଡ ପାଇବେ । ଏ ସମସ୍ତ ମିଳିତ ଯୋଜନାରେ ୩କୋଟି ୫୨ଲକ୍ଷ ଲୋକ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ପରିବାର ନୁହେଁ, ସମନ୍ୱିତ ଯୋଜନାରେ ପରିବାରର ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ଲେଖାଏ ଏକକ କାର୍ଡ ମିଳିବ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବାବଦରେ ଓଡ଼ିଶା ସରକାର ୬୦:୪୦ ଅନୁପାତରେ କେନ୍ଦ୍ରୀୟ ଅଂଶଧନ ପାଇବେ । ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଯଥେଷ୍ଟ ବ୍ୟୟବରାଦ କରିଛନ୍ତି । ଆର୍ôଥକ ଅନଟନ ଯୋଗୁଁ ସନ୍ତାନସନ୍ତତିମାନେ ପିତାମାତାଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବା ପାଇଁ ପଛଘୁଞ୍ଚା ଦେଇଥାନ୍ତି ଏବଂ ଅଣଦେଖା ମଧ୍ୟ କରିଥାନ୍ତି । ଆଜିଠାରୁ ପରିବାରର ବରିଷ୍ଠ ନାଗରିକଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରାଇବା ପାଇଁ ସେମାନଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ । ସେ ପୁଣି କହିଲେ ଯେ ନୂଆ ସରକାର ଗଠନ ପରେ ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ବିଭିନ୍ନ ବର୍ଗର ୪ ହଜାର ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି । ଆଉ ଅଧିକ ୫ ହଜାର ୩୭୪ ଡାକ୍ତର ଓ ଦନ୍ତ ଚିକିତ୍ସକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବହୁତ ଶୀଘ୍ର ଆମେ ଏହି ଲକ୍ଷ୍ୟ ହାସଲ କରିବୁ । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଅଧୀନରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଚଳିତବର୍ଷ ବଜେଟ୍ରେ ୩,୮୮୧ କୋଟି ଟଙ୍କା ଏବଂ ଆମ ହସ୍ପିଟାଲ୍ ଅଧୀନରେ ୪୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ପର୍ଯ୍ୟାୟକ୍ରମେ ନୂଆ ମେଡିକାଲ୍ କଲେଜ ପ୍ରତିଷ୍ଠା କରାଯିବ । ବର୍ତ୍ତମାନ ରାଜ୍ୟରେ ୧୨ଟି ମେଡିକାଲ୍ କଲେଜ ଅଛି । ଚଳିତବର୍ଷ ବଜେଟ୍ରେ ୪ଟି ମେଡିକାଲ୍ କଲେଜ ପାଇଁ ଅର୍ଥ ବରାଦ କରାଯାଇଛି । ଏଗୁଡିକ ହେଲା ଜଗତସିଂହପୁର, ଭଦ୍ରକ, ନବରଙ୍ଗପୁର ଓ ଢେଙ୍କାନାଳ । ଗତ ୨୪ ବର୍ଷରେ ଯେଉଁକାମ ହୋଇ ନ ଥିଲା ଆମେ ତାକୁ ୨୪ ମିନିଟରେ କରିବାକୁ ସମର୍ଥ ହୋଇଥିଲୁ, ସୁଭଦ୍ରା ଯୋଜନା, ଧାନ କିଣା ବାବଦକୁ ଅଧିକ ୮୦୦ ଟଙ୍କା ପ୍ରଦାନ, ଶ୍ରୀମନ୍ଦିର ପରିଚାଳନା ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଓ ଶ୍ରୀ ମନ୍ଦିର ଚାରିଦ୍ୱାର ଖୋଲାଯାଇଛି । ଗତ ଦଶ ମାସରେ ଅନେକ ନୂଆ ଯୋଜନା ଯେପରିକି ପଞ୍ଚାୟତ ସ୍ତରୀୟ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ, ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଅନ୍ତୋଦୟ ଗୃହ ଯୋଜନା ପରି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଜନତାଙ୍କ ଜୀବନକୁ ଅଧିକ ସ୍ୱଚ୍ଛନ୍ଦ, ସାବଲୀଳ କରିବା ଏବଂ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ଆମ ସରକାରର ଲକ୍ଷ୍ୟ ରହିଛି । ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ସ୍ୱପ୍ନକୁ ସାକାର କରିବୁ ଏବଂ ତା’ର ବହୁ ପୂର୍ବରୁ ଓଡ଼ିଶାର ଜନ ସାଧାରଣଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ, ଆମ ସରକାର ଲୋକଙ୍କ ପାଇଁ କାମକରେ । ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ସବୁଠାରୁ ଅଧିକ ଲୋକ ଉପକୃତ ହୋଇପାରିବେ ବୋଲି ସେ ମତ ଦେଇଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ, ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ସାରା ଭାରତବର୍ଷରେ କାଶ୍ମୀରଠୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଓଡ଼ିଶାର ଲୋକମାନେ ଚିକିତ୍ସା ସେବା ପାଇପାରିବେ । କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ପ୍ରମୁଖ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାର ଲୋକମାନଙ୍କ ପାଇଁ କିପରି ଉପାଦେୟ ହୋଇପାରିବ ସେ ସମ୍ପର୍କରେ ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଜିଲ୍ଲାର ବିଧାୟକ ଗଣ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ସ୍ୱାସ୍ଥ୍ୟ ସଚିବ ଅଶ୍ୱଥୀ ଏସ୍ ପ୍ରମୁଖ ଯୋଗଦେଇଥିଲେ ।