ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କମ୍ପିଲା ବିଧାନସଭା ; ଶୂନ୍ୟକାଳରେ ନବୀନଙ୍କ ଟ୍ରଷ୍ଟକୁ ନେଇ ହଟ୍ଟଗୋଳ

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜାରି ରହିଥିବା ତୀବ୍ର ବାଦବିବାଦ କାରଣରୁ କ୍ରମାଗତ ଷଷ୍ଠ ଦିବସରେ ମଧ୍ୟ ଗୃହ ସ୍ୱାଭାବିକ ହୋଇପାରି ନାହିଁ। ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ରଷ୍ଟକୁ ନେଇ ଶୂନ୍ୟକାଳରେ ଗୃହରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଫଳସ୍ୱରୂପ ବାଚସ୍ପତି ସୁରମା ପାଢ଼ୀ ଗୃହକାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆଜି ଶୂନ୍ୟକାଳ ଆରମ୍ଭରୁ ହିଁ ରାଜନୈତିକ ବାତାବରଣ ସରଗରମ ହୋଇଥିଲା। ଦିଲ୍ଲୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଂପୃକ୍ତି ଥିବା ଏକ ଟ୍ରଷ୍ଟରେ ୪୫୦୦ କୋଟି ଟଙ୍କା ଜମା ଥିବା ନେଇ ଶାସକ ଦଳ ପ୍ରଶ୍ନ ଉଠାଇଥିଲା। ଏହି ବିପୁଳ ପରିମାଣର ଅର୍ଥ କେଉଁଠୁ ଆସିଲା ଏବଂ ଏହାର ଉତ୍ସ କ’ଣ, ତାହା ସ୍ପଷ୍ଟ କରିବାକୁ ବିଜେପି ବିଧାୟକମାନେ ଦାବି କରିଥିଲେ। ବିରୋଧୀଙ୍କ ହୋହଲ୍ଲାକୁ କାଉଣ୍ଟର କରି ଶାସକ ଦଳର ବିଧାୟକମାନେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ ଯେ, ବିରୋଧୀ ଦଳ ନେତା ଗୃହକୁ ଅପବ୍ୟବହାର କରୁଛନ୍ତି। ନିଜ ଦଳୀୟ କନ୍ଦଳକୁ ଲୁଚାଇବା ଏବଂ ଦଳକୁ ବିଭାଜନରୁ ରକ୍ଷା କରିବା ପାଇଁ ବିରୋଧୀ ଏଭଳି ହଟ୍ଟଗୋଳ କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକମାନଙ୍କୁ ଗୃହରେ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପାଇଁ ନିର୍ଦ୍ଦେଶ ଦେବା ଉଚିତ ବୋଲି ସେ ମତ ରଖିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button