ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୧୮ ମୃତ

ନୂଆଦିଲ୍ଲୀ: ମଙ୍ଗଳବାର ଗୁଜରାଟର ବନାସକାଣ୍ଠା ଜିଲ୍ଲା ଅନ୍ତର୍ଗତ ଦୀସା ସହର ଉପକଣ୍ଠରେ ଥିବା ଦିପକ ଟ୍ରେଡର୍ସ ନାମକ ଏକ ବାଣ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୮ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୫ ଜଣଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଏମାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା କୁହାଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖର୍ଗେଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଏହି ଦୁର୍ଘଟଣା ପାଇଁ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଅନ୍ୟପକ୍ଷେ ଘଟଣାସ୍ଥଳରେ ପହଞ୍ôଚଥିବା ଅଧିକାରୀମାନେ ସୂଚନାଦେଇ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ ବାଣ ଫ୍ୟାକ୍ଟ୍ରିରେ ପ୍ରଥମେ ନିଆଁ ଲାଗିଯାଇଥିଲା । ଫ୍ୟାକ୍ଟ୍ରିରେ ବିପୁଳ ପରିମାଣର ବିସ୍ଫୋରକ ଗଚ୍ଛିତ ରହିଥିବାରୁ କିଛି ସମୟ ପର୍ଯ୍ୟନ୍ତ ଅନେକ ବିସ୍ଫୋରଣ ହୋଇଥିଲା । ତେବେ ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଫ୍ୟାକ୍ଟ୍ରିର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା । ଭଗ୍ନାବଶେଷ ତଳେ ଦବିଯାଇ ୧୫ଜଣ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଅନ୍ୟ ୩ ଶ୍ରମିକ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରିପୋର୍ଟ ଲେଖାହେବା ବେଳକୁ ଭଗ୍ନାବଶେଷ ତଳେ ଆହୁରି ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ବନାସକାଣ୍ଠା କଲେକ୍ଟର ମିହିର ପଟେଲ ମଧ୍ୟ ଘଟଣା ଏବଂ ମୃତାହତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । ସେହିପରି ଦୀସା ଗ୍ରାମୀଣ ପୋଲିସ ଷ୍ଟେସନର ଇନ୍ସପେକ୍ଟର ବିଜୟ ଚୌଧୁରୀ କହିଛନ୍ତି ଯେ, ଦୀସା ପୌରପାଳିକାର ଅଗ୍ନିଶମ କର୍ମଚାରୀମାନେ ଭଗ୍ନାବଶେଷ ତଳେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଉଦ୍ଧାର ପ୍ରକ୍ରିୟାରେ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଏସ୍ଡିଆର୍ଏଫ୍)ର ଏକ ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି । ପ୍ରାଥମିକ ତଦନ୍ତରୁ ପ୍ଲାଣ୍ଟରେ ଲାଗିଥିବା ବଏଲର ବିସ୍ଫୋରଣ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ଏହି ଘଟଣାରେ ଗଭୀର ଦୁଃଖ ବ୍ୟକ୍ତ କରିବା ସହ ମୃତାହତଙ୍କ ପରିବାର ଉଦ୍ଦେଶ୍ୟରେ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସେହିପରି ପୀଡ଼ିତଙ୍କୁ ସବୁପ୍ରକାର ସେବା ଓ ସହାୟତା ଯୋଗାଇଦେବାକୁୂ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।