ଆଗକୁ ଆଉ ଏକ ଲଘୁଚାପ, ସପ୍ତାହେ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଆସନ୍ତା ୨୭ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଲଘୁଚାପ ସୃଷ୍ଟି ହେବାର ୨ ଭିତରେ ଏହା ଅଧିକ ଘନୀଭୂତ ହେବ। ଫଳରେ ରାଜ୍ୟରେ ପ୍ରବଳ ବର୍ଷାହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ପ୍ରଭାବରେ ୨୭ ତାରିଖରୁ ୩୦ ତାରିଖ ଯାଏ ଭାରି ବର୍ଷାର ସମ୍ଭାବନା ରହିଛି। ଏହି ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ। ସକ୍ରିୟ ରହିଲେ ଓଡ଼ିଶାରେ ମୌସୁମୀ ଆଗମନ ନେଇ ସ୍ଥିତି ଅନୁକୂଳ ରହିବ। ରାଜ୍ୟରେ କାଳବୈଶାଖୀ ସହ ପ୍ରାକ୍ ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ବେଳେ ଆଗାମୀ ୭ ଦିନ ଯାଏ ବର୍ଷା ଲାଗି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଏହି ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ୪୦ରୁ ୬୦ କିମି ବେଗରେ ପବନ ବହିବ। ଅବଶିଷ୍ଟ ୧୪ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହିସବୁ ଜିଲ୍ଲାରେ ୪୦ରୁ ୫୦ କିମି ଝଟ୍‌କା ପବନ ବହିବାର ସମ୍ଭାବନା ରହିଛି। ଆସନ୍ତାକାଲି ସାରା ରାଜ୍ୟରେ ହାଲିକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ। ସେହପରି ଝଟ୍‌କା ପବନର ବେଗ ୪୦-୫୦ କିମି ରହିବ। ଆସନ୍ତାକାଲି ପାଇଁ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୭ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବ। ଏହା ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡ଼ା , କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ହାଲୁକା ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ। ଯାହାକୁ ନେଇ ଏ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୮ତାରିଖରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାହେବ। ଅନ୍ୟ ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ରହିବ। ଝଟ୍‌କା ପବନର ଘଣ୍ଟାପ୍ରତି ବେଗ ୪୦-୫୦ କିମି ରହିବା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।୨୯ ତାରିଖରେ ମଧ୍ୟ ସାରା ରାଜ୍ୟରେ ବର୍ଷା ଲାଗିରହିବ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ରାଜ୍ୟର ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୩୦ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ୪୦-୫୦ କିମି ବେଗରେ ବହିବ। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେପଟେ ୩୧ତାରିଖରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ କୋରାପୁଟର ଲମଟପୁଟ୍‌ରେ ସର୍ବାଧିକ ୮୦.୨ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ସର୍ବାଧିକ ତାପମାତ୍ରା ଭବାନୀପାଟଣାରେ ୩୮.୦ ଡିଗ୍ରୀ ରେକର୍ଡ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button