ମିଆଁମାରରେ ପୁଣି ଭୂମିକମ୍ପ, ଏକ ହଜାରରୁ ଅଧିକ ମୃତ, ବଢୁଛି ଆହତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମିଆଁମାର ଓ ଥାଇଲାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ହୋଇଛି । ୭.୭ ଏବଂ ୭.୨ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି । ମିଆଁମାରରେ ୧୦୦୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦୦ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । ମିଆଁମାରର ଭୂକମ୍ପର ପ୍ରଭାବ ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲାଣ୍ଡର ରାଜଧାନୀ ବ୍ୟାଂକକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହାକୁ ଦୃଷ୍ଟିରେ ରଖି ଏବେ ଭାରତ ସରକାର ୧୫ଟନର ରିଲିଫ୍ ସାମଗ୍ରୀ ପଠାଇଛନ୍ତି । ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଶୁକ୍ରବାର ଦିନ ୭.୭ ତୀବ୍ରତାର ଭୂ-କମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଆହୁରି ବହୁ ଅଧିକ ହେବା ଆଶଂକା କରାଯାଉଛି । ଅନେକ ଲୋକ ଧ୍ବଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଧ୍ବଂସସ୍ତୁପ ତଳୁ ଜୀବନର ସନ୍ଧାନ କରୁଛନ୍ତି ଉଦ୍ଧାରକାରୀ । ଅନେକ ପୋଲ ଭାଙ୍ଗି ଯାଇଛି । ରାସ୍ତା ଫାଟି ଯାଇଛି । ବହୁ ବଡ଼ ବଡ଼ ଡ୍ୟାମ କ୍ଷତିଗ୍ରସ୍ତ ହୋଇଛି । ଭୂକମ୍ପ ପରେ ମିଆଁମାରରେ ରାଷ୍ଟ୍ରୀୟ ବିପତ୍ତି ଘୋଷଣା କରାଯାଇଛି । କିଛି ସ୍ଥାନ ମୃତ୍ୟୁର ଇଲାକା ପାଲଟି ଯାଇଛି । ଭୂମିକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନାପିଡୋ ଓ ମଣ୍ଡାଲୟ । ମିଆଁମ୍ୟାରର ଦ୍ବିତୀୟ ବୃହତ ସହର ନାପିଡୋ । ଥାଇଲାଣ୍ଡରେ ଭୂକମ୍ପ ଏତେ ତୀବ୍ର ଥିଲା ଯେ, ବ୍ୟାଂକକରେ ଥିବା ଛାତ ଉପର ସୁଇମିଂ ପୁଲରୁ ଜଳପ୍ରପାତ ପରି ଏକ ଉଚ୍ଚ ବିଲ୍ଡିଂ ଉପରୁ ପାଣି ତଳକୁ ଖସିପଡ଼ିବାକୁ ଲାଗିଲା । ସହରରେ ନିର୍ମାଣାଧୀନ ଏକ ୩୦ ମହଲା ବିଶିଷ୍ଟ ଆକାଶ ଛୁଆଁ ଅଟ୍ଟାଳିକା ଭୁଶୁଡି ପଡ଼ିବାରୁ ସେଥିରେ ପ୍ରାୟ ୭୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି । ମୃତାହତ ଏବଂ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ୭.୭ ତୀବ୍ରତାର ଭୂକମ୍ପରେ ସବୁ କିଛି ଛାରଖାର ହୋଇ ଯାଇଛି ।