ଇସ୍ରୋକୁ ମିଳିଲା ଆଉ ବଡ ସଫଳତା: ମହାକାଶରେ ଅଙ୍କୁରିତ ହେଲା ଝୁଡ଼ଙ୍ଗ ମଞ୍ଜି

ନୂଆଦିଲ୍ଲୀ : ସ୍ପାଡେକ୍ସ ମିଶନ୍ ଅନ୍ତର୍ଗତ ଭାରତୀୟ ମହାକାଶ ଗବେଷଣା ସଂଗଠନ ‘ଇସ୍ରୋ’କୁ ଆଉ ଏକ ବୃହତ୍ ସଫଳତା ମିଳିଛି। ରିପୋର୍ଟ ଅନୁସାରେ ମହାକାଶରେ ଜୀବସତ୍ତାର ପ୍ରମାଣ ଦିଗରେ ଇସ୍ରୋ କରିଥିବା ପରୀକ୍ଷଣ ସଫଳ ହୋଇଛି। ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା ହୋଇଛି। ଇସ୍ରୋ ପକ୍ଷରୁ ସ୍ପେଡେକ୍ସ ମିଶନ ଜରିଆରେ ମହାକାଶକୁ ଝୁଡଙ୍ଗ ମଞ୍ଜି ପଠାଯାଇଥିଲା ଏବଂ ଏହାର ଉଦ୍ଦେଶ୍ୟ ଥିଲା ଯେ ମହାକାଶରେ ମଞ୍ଜି ଗଜା ହେବ କି ନାହିଁ ଓ ଏହା ବିକଶିତ ହେବ କି ନାହିଁ ପରୀକ୍ଷା କରିବା। ନିଜର ଅଫିସିଆଲ ସାମାଜିକ ଗଣମାଧ୍ୟମ ଏକ୍ସରେ ଏ ସମ୍ପର୍କରେ ଇସ୍ରୋ ସୂଚନା ଦେଇଛି। ମାତ୍ର ୪ ଦିନ ମଧ୍ୟରେ ଝୁଡ଼ଙ୍ଗ ମଞ୍ଜି ଗଜା ହୋଇଥିବା ଇସ୍ରୋ ସୂଚନା ଦେଇଛି। ଖୁବଶୀଘ୍ର ଏଥିରେ ପତ୍ର ଆସିବ ବୋଲି ଇସ୍ରୋ କହିଛି। ୨୦୨୪ ଡିସେମ୍ବର ୩୦ ତାରିଖରେ ଇସ୍ରୋ ନିଜ ସ୍ପାଡେକ୍ସ ମିଶନ (ପିଏସ୍‌୪-ଅର୍ବିଟାଲ୍ ଏକ୍ସପେରିମେଣ୍ଟ ବା ପୋଏମ୍‌) ଅନ୍ତର୍ଗତ ମହାକାଶକୁ ୮ଟି ଝୁଡ଼ଙ୍ଗ ମଞ୍ଜି ପଠାଇଥିଲା। ତେବେ ଏହି ମିଶନ୍‌କୁ ୪ଦିନ ଅତିବାହିତ ହୋଇଥିବା ବେଳେ ମହାକାଶରେ ଇସ୍ରୋର ସ୍ପେଶ୍ ଲ୍ୟାବ୍‌ରେ ଏସବୁ ଝୁଡଙ୍ଗ ମଞ୍ଜି ଗଜା (ଅଙ୍କୁରିତ) ହୋଇଥିବା ଦେଖିବାକୁ ମିଳିଛି। ଏହାର ସିଧାସଳଖ ଅର୍ଥ ମହାକାଶରେ (ଶୂନ୍ୟ ଗ୍ରାଭିଟି) ମଧ୍ୟ ଜୀବସତ୍ତା ସମ୍ଭବଜନିତ ଆଉ ଏକ ବଳିଷ୍ଠ ପ୍ରମାଣ ମିଳିଛି। ଇସ୍ରୋ ଅଧ୍ୟକ୍ଷ ଡ. ଏସ୍ ସୋମନାଥ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଡ. ସୋମନାଥ କହିଛନ୍ତି, ଏହି ସଫଳ ପରୀକ୍ଷଣ ମାନବ ମହାକାଶ ମିଶନ (ଗଗନାୟନ) ଏବଂ ଇଣ୍ଡିଆନ୍ ସ୍ପେସ୍ ଷ୍ଟେସନ୍ (ଇଣ୍ଡିଆନ୍ ସ୍ପେସ୍ ଷ୍ଟେସନ୍‌) ନିର୍ମାଣ ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଏହି ଗଜାରେ ଖୁବଶୀଘ୍ର ପତ୍ର ମଧ୍ୟ ଆସିବ। ଭାରତୀୟ ମହାକାଶ ଲାବୋରେଟୋରୀରେ ଜୀବନ ବଞ୍ôଚବାଅତ୍ୟନ୍ତ ଉତ୍ସାହଜନକ, ଯାହାକି ନିୟୋଜିତ ପରିବେଶ ନିୟନ୍ତ୍ରଣ ଏବଂ ଜୀବନ ସହାୟତା ବ୍ୟବସ୍ଥା (ଇସିଏଲ୍‌ଏସ୍‌ଏସ୍‌) ଉପରେ ଆତ୍ମବିଶ୍ୱାସ ପ୍ରଦାନ କରୁଛି। ସୂଚନାଯୋଗ୍ୟ, ଏହି ମିଶନ୍ ଅନ୍ତର୍ଗତ ଇସ୍ରୋ ମହାକାଶକୁ ମଣିଷ ପାକସ୍ଥଳୀ ଓ ଅନ୍ତନଳୀରେ ରହୁଥିବା ଜୀବାଣୁ ମଧ୍ୟ ପଠାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button