କଣାସରୁ ମିଳିଲା ପ୍ରାଚୀନ ହାତୀ ମୂର୍ତ୍ତି

ଭୁବନେଶ୍ୱର: ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ଗଡ଼ବଳଭଦ୍ରପୁର ଗ୍ରାମରୁ ମିଳିଛି ଏକ ପ୍ରାଚୀନ ହାତୀ ମୂର୍ତ୍ତି। ଐତିହ୍ୟ ଗବେଷଣା ସଂସ୍ଥା ଇଣ୍ଡିଆନ ନ୍ୟାଶନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲଚରାଲ ହେରିଟେଜ (ଇନ୍‌ଟାକ)ର ପ୍ରତ୍ନତାତ୍ତ୍ୱିକ-ଐତିହ୍ୟ ସନ୍ଧାନକାରୀ ଦଳ ଏହି ପୁରାତନ ହାତୀ ମୂର୍ତ୍ତିକୁ ସନ୍ଧାନ କରିଛନ୍ତି। ଇନ୍‌ଟାକ ଓଡ଼ିଶା ଶାଖାର ଆବାହକ ଅମିୟ ଭୂଷଣ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ଅନୁସନ୍ଧାନକାରୀ ଦଳରେ ଅନିଲ ଧୀର, ସଞ୍ଜୀବ ହୋତା, ଦୀପକ କୁମାର ନାୟକ ଓ ଡ. ବିଶ୍ୱଜିତ ମହାନ୍ତି ପ୍ରମୁଖ ସାମିଲ ଥିଲେ। ଏ ସମ୍ପର୍କରେ ଐତିହାସିକ ଅନିଲ ଧୀର କହିଛନ୍ତି, ଗୋଟିଏ ମାତ୍ର ପଥର ଖଣ୍ଡକୁ କଟାଯାଇ ଏପରି ହାତୀର ମୂର୍ତ୍ତି ଗଠନ ଅତି ବିରଳ ଓ ଏହା ବୌଦ୍ଧ ଧର୍ମ ସହ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଓଡ଼ିଶାରେ ଯାଜପୁରର କାଇମା, କେନ୍ଦୁଝରର ସିତାବିଞ୍ଜି ତଥା ଭୁବନେଶ୍ବରର ଧଉଳି ଆଦି ସ୍ଥାନରେ ଏପରି ହାତୀ ମୂର୍ତ୍ତି ଦେଖାଯାଏ। ଏହି ସ୍ଥାନଟିରେ ହାତୀ ମୂର୍ତ୍ତି ବ୍ୟତୀତ ପ୍ରାଚୀନ ପ୍ରସ୍ତର ଖମ୍ବ, ଅନେକ ପୁରାତନ ପ୍ରସ୍ତର ଖଣ୍ଡ ପଡ଼ିଛି। ଏହା ସୂଚାଉଛି ଏହି ସ୍ଥାନର ମାଟି ତଳେ ଅନେକ କୀର୍ତ୍ତିରାଜି ପୋତି ରହିଛି। ପ୍ରାଥମିକ ଭାବେ ଏହି ହାତୀ ମୂର୍ତ୍ତିର ଗଠନ ପ୍ରାୟ ୨୨୦୦/୨୩୦୦ ବର୍ଷ ତଳର ଅର୍ଥାତ ମୌର୍ଯ୍ୟ ଶାସନ ସମୟର ହୋଇପାରେ ବୋଲି ଧୀର କହିଛନ୍ତି। ଇନ୍‌ଟାକ ସଦସ୍ୟ ଦୀପକ କୁମାର ନାୟକଙ୍କ ମତରେ ହାତୀ ବୁଦ୍ଧଙ୍କ ପ୍ରମୁଖ ସଙ୍କେତ। ବୌଦ୍ଧପୁରାଣ ଓ ବୌଦ୍ଧଜାତକ କଥା ଅନୁସାରେ ବୁଦ୍ଧଙ୍କ ପୂର୍ବବର୍ତ୍ତୀ ଜନ୍ମ ସବୁରେ ଏକାଧିକଥର ହାତୀ ରୂପେ ଜନ୍ମ କରିଛନ୍ତି। ତେଣୁ ବୌଦ୍ଧଧର୍ମରେ ହାତୀକୁ ପବିତ୍ର ମାନନ୍ତି। ଦୟାନଦୀର ଅବବାହିକାରେ ପୂର୍ବରୁ ଅନେକ ବୌଦ୍ଧ କୀର୍ତ୍ତିରାଜିର ସନ୍ଧାନ ମିଳିିଛି। ଏପରିକି ଗଡ଼ବଳଭଦ୍ରପୁର ଗ୍ରାମର ଆଖପାଖ ଅଞ୍ଚଳରେ ମଧ୍ୟ ଅନେକ ବୌଦ୍ଧ ମୂର୍ତ୍ତି, ମାନସିକ ସ୍ତୁପ ସବୁ ବିକ୍ଷିପ୍ତ ଭାବେ ଦେଖିବାକୁ ମିଳେ। ଗଡ଼ବଳଭଦ୍ରପୁର ଗଡଟି ଖୋର୍ଦ୍ଧାର ଭୋଇବଂଶୀୟ ରାଜାମାନଙ୍କ ଦ୍ୱାରା ସ୍ଥାପିତ ହୋଇଥିଲେ ମଧ୍ୟ ଏଠାରେ ଏହି ହାତୀ ମୂର୍ତ୍ତି ଓ ବୌଦ୍ଧ ପ୍ରତ୍ନତାତ୍ତ୍ୱିକ ଅବଶେଷ ବହୁ ପୂର୍ବକାଳରୁ ଉପସ୍ଥିତ ରହିଆସିଛି ବୋଲି ଅନୁମାନ। ସ୍ଥାନଟିର ପ୍ରତ୍ନତାତ୍ତ୍ୱିକ ଖନନ କରାଗଲେ ଅନେକ ଲୁକ୍କାୟିତ କୀର୍ତ୍ତିରାଜି ପଦାକୁ ଆସିବ। ଇନ୍‌ଟାକ ଆବାହକ ଅମିୟ ଭୂଷଣ ତ୍ରିପାଠୀ କୁହନ୍ତି, ଏହି ସ୍ଥାନରେ ସନ୍ଧାନ ହୋଇଥିବା ହାତୀ ମୂର୍ତ୍ତି ସମ୍ପର୍କରେ ତଥ୍ୟ କୋଣସି ଐତିହାସିକ ଦସ୍ତାବିଜରୁ ମିଳିନି। ତେଣୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ପ୍ରକୃତ ଇତିହାସ ଓ ଠିକ୍‌ ଗଠନ ସମୟ ନିର୍ଦ୍ଧାରଣ ପାଇଁ ବିଶେଷଜ୍ଞ ଦଳକୁ ଏଠାକୁ ପଠାଇବା ଆବଶ୍ୟକ। ଏହାବ୍ୟତୀତ ଏଠାରେ ଏକ ସଂଗ୍ରହାଳୟ ନିର୍ମାଣ କରି ହାତୀ ମୂର୍ତ୍ତି, ଏହି ପୁରାତନ ଖମ୍ବ ତଥା ଆଖପାଖ ଅଞ୍ଚଳରୁ ମିଳୁଥିବା ଅନ୍ୟ ପ୍ରତ୍ନତାତ୍ତ୍ୱିକ ଅବଶେଷ ସବୁକୁ ଏକତ୍ର ରଖିବା ଉଚିତ। ଏ ସମ୍ପର୍କରେ ଖୁବ୍‌ଶୀଘ୍ର ଇନ୍‌ଟାକ ତରଫରୁ ସରକାରଙ୍କୁ ଅବଗତ କରାଯିବ।

Related Articles

Leave a Reply

Your email address will not be published.

Back to top button