ଅପହଞ୍ଚ ଇଲାକାରେ ସେବା ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଇଂ. ଦିଲ୍ଲୀପ ପଟ୍ଟନାୟକ

 

କିଏ କହିଲା ମାନବିକତା କବର ନେଇସାରିଛି ?? ଏବେବି ବଞ୍ଚିଛି ମାନବିକତା । କର୍ମମୟ ବ୍ୟସ୍ତ ବହୁଳ ଜୀବନ ଭିତରରେ ଯେତେବେଳେ ମଣିଷ ପାଖରେ ନିଜ ଲୋକଙ୍କ ପାଇଁ ସମୟ ନ ଥାଏ ସେତେବେଳେ ଗରିବ, ନିଷ୍ପେସିତ, ନିଃସହାୟ, ଅଜଣା ଅଲୋଡ଼ା ମଣିଷ ପାଖରେ ଛିଡା ହୋଇଯାନ୍ତି ଦରଦୀ ବନ୍ଧୁ ଟିଏ ହୋଇ । ଚିହ୍ନା ହେଉ କି ଅଚିହ୍ନା, ଜଣା ହେଉ କି ଅଜଣା କାହାରି ପାଖରୁ ଖବର ବା ଫୋନ କଲଟିଏ ପାଇଲେ ତତକ୍ଷଣାତ ଖାଇବା ଜାଗାରୁ ଉଠି ବାହାରି ପଡ଼ନ୍ତି ସହଯୋଗର ହାତ ବଢାଇବା ପାଇଁ । ଏହି ଭଳି ଏକ ବିରଳ ବ୍ୟକ୍ତିତ୍ୱ ହେଲେ ଇଂଜିନିୟର ଦିଲ୍ଲୀପ ପଟ୍ଟନାୟକ ।

ଭୁବନେଶ୍ୱର :  କିଏ କହିଲା ମାନବିକତା କବର ନେଇସାରିଛି ?? ଏବେବି ବଞ୍ଚିଛି ମାନବିକତା । କର୍ମମୟ ବ୍ୟସ୍ତ ବହୁଳ ଜୀବନ ଭିତରରେ ଯେତେବେଳେ ମଣିଷ ପାଖରେ ନିଜ ଲୋକଙ୍କ ପାଇଁ ସମୟ ନ ଥାଏ ସେତେବେଳେ ଗରିବ, ନିଷ୍ପେସିତ, ନିଃସହାୟ, ଅଜଣା ଅଲୋଡ଼ା ମଣିଷ ପାଖରେ ଛିଡା ହୋଇଯାନ୍ତି ଦରଦୀ ବନ୍ଧୁ ଟିଏ ହୋଇ । ଚିହ୍ନା ହେଉ କି ଅଚିହ୍ନା, ଜଣା ହେଉ କି ଅଜଣା କାହାରି ପାଖରୁ ଖବର ବା ଫୋନ କଲଟିଏ ପାଇଲେ ତତକ୍ଷଣାତ ଖାଇବା ଜାଗାରୁ ଉଠି ବାହାରି ପଡ଼ନ୍ତି ସହଯୋଗର ହାତ ବଢାଇବା ପାଇଁ । ଏହି ଭଳି ଏକ ବିରଳ ବ୍ୟକ୍ତିତ୍ୱ ହେଲେ ଇଂଜିନିୟର ଦିଲ୍ଲୀପ ପଟ୍ଟନାୟକ । ମେକାନିକାଲ ଇଂଜିନୟରରୁ ପାଲଟିଯାଇଛନ୍ତି ହ୍ୟୁମ୍ୟାନ ଇଂଜିନୟର ବା ଆମେ ଯାହାକୁ କହୁ ମାନବ ଇଂଜିନୟର । ଗରିବ ଅସହାୟଙ୍କ ମୁହଁରେ ହସଫୁଟାଇବା ପାଇଁ ସେ ଯେମିତି ଚିର ସଂକଳ୍ପବଦ୍ଧ | ଏହା ତାଙ୍କର ଏକ ବୃତ୍ତି ନୁହେଁ ବରଂ ସାଧନାର ବ୍ରତ । ଏଥିରୁ ସେ ଚାକିରଠାରୁ ପାଆନ୍ତି ଅନେକ ଖୁସି ଆଉ ଆନନ୍ଦ । ବାପା ମାଙ୍କ ନାଁଆରେ ଗଠନ କରିଛନ୍ତି ”ନିର୍ମଳା କୃତି ବିକାଶ ଟ୍ରଷ୍ଟ”

ବାପା କୃତିବାଶ ପଟ୍ଟନାୟକ ଜଣେ ଅବସରପ୍ରାପ୍ତ ଶିକ୍ଷକ । ମାଆ ଶ୍ରୀମତୀ ନିର୍ମଳା ଜଣେ ସୁଗୃହିଣୀ । ଦୁଇ ଭାଇ ଏବଂ ତିନି ଭଉଣୀ । ପୁରୁଣା ଗଡଜାତ ଅଂଚଳ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଢିମ୍ପୁରା ଗ୍ରାମରେ ତାଙ୍କର ଜନ୍ମ । ଇଂଜିନୟରିଂ ପଢ଼ିବା ପାଇଁ ଚେନାଇ ଯାଇ ସେଠାରେ ଅଧ୍ୟୟନ ସାଙ୍ଗକୁ ଅଧ୍ୟାପକ ହିସାବରେ ଇଂଜିନିୟରିଂ ପିଲାଙ୍କୁ ପାଠ ପଢ଼ାଇ ବେଶ ସୁନାମ ଅର୍ଜନ କରିଥିଲେ ସେ । ଶେଷରେ ଏକ ଖ୍ୟାତିସମ୍ପନ୍ନ ଜାପାନିଜ ଗ୍ରାନାଇଟ କମ୍ପାନୀର ଏକ ଉଚ୍ଚ ପଦସ୍ଥ ଅଧିକାରୀ ଭାବରେ ମୋଟା ଅଙ୍କର ଦରମା ମଧ୍ୟ ପାଉଥିଲେ । ପିଲାଦିନୁ ତାଙ୍କର ସପ୍ନ ଥିଲା ଗରୀବ ଅସହାୟଙ୍କ ସେବା କରିବା ପାଇଁ । ୧୯୯୯ ମହାବାତ୍ୟା ତାଙ୍କ ଜୀବନର ମୋଡ ବଦଳାଇଦେଲା । ମହାବାତ୍ୟା ସମୟରେ ଚେନାଇ ସତସଙ୍ଗ ଏବଂ ଉତ୍କଳ ଆସୋସିଏସନର ମିଳିତ ଉଦ୍ୟମରେ ରିଲିଫ ସାମଗ୍ରୀ ଧରି ଏକ ରିଲିଫ ଟିମ ଓଡିଶା ଆସିଲା । ଯାହାର ନେତୃତ୍ୱ ନେଇଥିଲେ ଦିଲ୍ଲୀପ । ଏହି ସମୟରେ ନିଜ ଜୀବନକୁ ବିପନ୍ନ କରି ଲୋକଙ୍କ ପାଖରେ ପହଂଚି ଯୋଗାଉଥିଲେ ରିଲିଫ । ନିଜ ହାତରେ ଅନେକ ଶବ ମଧ୍ୟ ପୋଡିଛନ୍ତି, ଯାହା ତାଙ୍କ ଜୀବନର ଗତିପଥ ବଦଳାଇଦେଲା । ପରିବାରର ବିରୋଧ ସତ୍ତ୍ୱେ ସବୁଦିନ ପାଇଁ ବିଦେଶୀ କମ୍ପାନୀର ମୋହ ଛାଡ଼ି ୨୦୦୦ ମସିହାରେ ଭୁବନେଶ୍ୱର ପଳାଇ ଆସିଲେ ଓଡିଶା ମାଟିର ସେବାକରିବା ପାଇଁ । ପ୍ରଥମେ ଭୁବନେଶ୍ୱର ସ୍ଥିତ ଶ୍ରୀ ଶ୍ରୀ ବଡଦା ହସ୍ପିଟାଲର ଦାୟିତ୍ବରେ ରହି ନିଶୁଳ୍କ ସେବା ଯୋଗାଇ ଆସୁଥିଲେ । ଏକ ଦରଦୀ ମଣିଷ ହିସାବରେ ଅସୁବିଧାରେ ପଡୁଥିବା ଗରିବ ଅସହାୟ ରୋଗୀ ମାନଙ୍କ ସହିତ ଗଢି ଉଠେ ଏକ ଭିନ୍ନ ନିଆରା ସମ୍ପର୍କ । ଯାହା ତାଙ୍କୁ ଦେଇଛି ସ୍ୱସ୍ତି, ପ୍ରୀତି ଆଉ ଅସୁମାରୀ ଆନନ୍ଦ । ୨୦୦୬ ରେ ନିଜସ୍ୱ ଉଦ୍ୟମରେ ଭୁବନେଶ୍ୱର ଦେବରାୟ କଲେଜ ନିକଟରେ ଆରମ୍ଭ କରନ୍ତି ‘ୟୁନିଟ ହେଲଥ କେୟାର’,ଯାହା ମାଧ୍ୟମରେ ସେ ଯୋଗାଇ ଚାଲନ୍ତି ନିରନ୍ତର ରୋଗୀ ସେବା । ବିଭିନ୍ନ ସ୍କୁଲ, କଲେଜ, ବସ୍ତି ଓ ଗ୍ରାମାଞ୍ଚଳରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମାଗଣା ଔଷଧ ବଣ୍ଟନ କରନ୍ତି ସେ । ସେବାକୁ ବ୍ୟାପକ କରିବା ପାଇଁ ୨୦୦୭ ରେ ବାପା ମାଆ ଏବଂ ତାଙ୍କର ଜଣେ ଡାକ୍ତର ବନ୍ଧୁ ବିକାଶଙ୍କ ନାମରେ ଆରମ୍ଭ କରନ୍ତି  ”ନିର୍ମଳା କୃତି ବିକାଶ ଟ୍ରଷ୍ଟ”

ବାସ ତାପରେ ସେ ଆଉ ପଛକୁ ଫେରି ନାହାନ୍ତି । ଟ୍ରଷ୍ଟ ମାଧ୍ୟମରେ କରିଛନ୍ତି ଅନେକ ଗରିବ ରୋଗୀଙ୍କ ସେବା ଓ ମୋତିଆବିନ୍ଦୁ ଅପରେସନ । ନୟାଗଡ ଜିଲ୍ଲାକୁ ଗୁରୁତ୍ୱ ଦେଇ ସେଠାରେ ଅନେକ କ୍ୟାମ୍ପ କରି ଶହ ଶହ ରୋଗୀଙ୍କର ମାଗଣା ଚକ୍ଷୁ ଚିକିତ୍ସା ସହ ଅପରେସନ କରିଥିଲେ । ଯେଉଁଠାରେ ମୋତିଆବିନ୍ଦୁ ହାର ୫୫% ରୁ ୫ % ରେ ପହଂଚି ଥିଲା । ଯାହାକି ବିଧାନ ସଭାରେ ମଧ୍ୟ ଆଲୋଚନାର ବିଷୟ ପାଲଟିଥିଲା । ଆଜି ପର୍ଯ୍ୟନ୍ତ ପ୍ରୋଜେକ୍ଟ “ଭିଜନ ଟୁ ବ୍ଲାଇଣ୍ଡ” ମାଧ୍ୟମରେ ୧୩ ହଜାରରୁ ଊର୍ଦ୍ଧ୍ୱ ମାଗଣା ମୋତିଆବିନ୍ଦୁ ଅପରେସନ କରି ସାରିଲେଣି ।

ଲାଞ୍ଜିଗଡ ନିୟମଗିରି ପାଦଦେଶରେ ଥିବା ବେଦାନ୍ତ ହସ୍ପିଟାଲର ଦାଇତ୍ୱ ନେଇ ଆଦିବାସୀ ମାନଙ୍କୁ ନିଶୁଳ୍କ ସେବା ୨୦୧୦ ରୁ ୨୦୧୫ ପାଞ୍ଚ ବର୍ଷ ଧରି ଯୋଗାଇ ଆସିଛନ୍ତି । ଏହି ସମୟରେ ଆଦିବାସୀମାନଙ୍କ ଜୀବନ ଶୈଳୀ ଠାରୁ ଅନେକ କିଛି ଶିଖିଛନ୍ତି ସେ । ଅନୁଭବର କଥା ସାଉଁଟି କହନ୍ତି, ”ଆଦିବାସୀ ମାନଙ୍କ ଜୀବନ ଚଳଣି ଠିକ ସାଧୁ ଓ ପକ୍ଷୀର ସ୍ୱଭାବ ଭଳି । କାଲି ପାଇଁ କିଛି ସଞ୍ଚିକି ରଖନ୍ତି ନାହିଁ । ସବୁଦିନ ତାଙ୍କ ପାଇଁ ନୂଆ ସକାଳ, କର୍ମ କରନ୍ତି ଆଉ ତାହାରି ଭିତରେ ଅନ୍ୟକୁ ଖୁଆନ୍ତି ଏବଂ ନିଜେ ଖାଆନ୍ତି ।”

ଲାଞ୍ଜିଗଡ ଠାରେ କାମକରିବା ଭିତରେ ଦିଲୀପ ଦେଖନ୍ତି ଆଦିବାସୀ ପିଲାଙ୍କର ଗ୍ରହଣ ଖଣ୍ଡିଆ ଯୋଗୁ ଭାରି ଅସୁନ୍ଦର ଦେଖାଯାନ୍ତି । ଅପରେସନ କରି ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆରମ୍ଭ କରନ୍ତି “ପ୍ଲାଣ୍ଟିଙ୍ଗ ସ୍ମାଇଲ” ପ୍ରୋଜେକ୍ଟ । ଆରମ୍ଭରୁ ଏଥିରେ ସହଯୋଗ କରନ୍ତି ସୁନାମଧନ୍ୟ ଡାକ୍ତର ସ୍ୱର୍ଗତ ରାମ ଅନୁପମ ତ୍ରିପାଠୀ । କେଵଳ ଓଡ଼ିଶା ନୁହେଁ,ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ସୁଦୂର ନେପାଳ ଏବଂ ବାଂଲାଦେଶର ଗ୍ରହଣ ଖଣ୍ଡିଆ ରୋଗୀମାନଙ୍କୁ ମାଗଣା ଅପରେସନ କରିବା ସହିତ ସେମାନଙ୍କ ଯିବା-ଆସିବା, ରହିବା-ଖାଇବା ସାଙ୍ଗକୁ ମାଗଣା ଔଷଧର ବନ୍ଦୋବସ୍ତ କରିଥାନ୍ତି । ଆଜି ପର୍ଯ୍ୟନ୍ତ ୫ ହଜାରରୁ ଊର୍ଦ୍ଧ୍ୱ ଗ୍ରହଣ ଖଣ୍ଡିଆ ରୋଗୀଙ୍କର ମାଗଣା ଅପରେସନ କରିସାରିଲେଣି । ତାଙ୍କର ଏହି ସେବା କାର୍ଯ୍ୟରେ ଖୁସି ହୋଇ ଆମେରିକାର ସୁନାମଧନ୍ୟ ” ସ୍ମାଇଲ ଟ୍ରେନ” ଅନୁଷ୍ଠାନ ସହଯୋଗର ହାତ ବଢାଇଥିଲେ । ଦିଲ୍ଲୀପ କହନ୍ତି, ”ଏଥିପାଇଁ ଏନକେବିଟି ଟିମକୁ ଅନେକ କଷ୍ଟ ସ୍ୱୀକାର କରି ପାହାଡ ଜଙ୍ଗଲରେ ଦିନରାତି ବିତାଇବାକୁ ପଡିଛି । ଅପରେସନ ପରେ ପିଲା ଓ ତାର ବାପା ମାଆଙ୍କର ହସକୁ ଦେଖିଦେଲେ ସବୁ କଷ୍ଟ ଭୁଲି ହୋଇଯାଏ କ୍ଷଣକରେ ।”

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯେଉଁଠି ସରକାରୀ ସ୍ୱାସ୍ଥ୍ୟ ସେବା ପହଂଚି ପାରେ ନାହିଁ ସେଇଠି ପହଁଚି ଯାଏ ଟିମ ଏନକେବିଟି ।ଏଥିରେ ସହଯୋଗ କରନ୍ତି ଡାକ୍ତର ଜଗନ୍ନାଥ ଆଚାର୍ଯ୍ୟ, ଡାକ୍ତର ପ୍ରିୟବ୍ରତ ମିଶ୍ର ଏବଂ ଡକ୍ଟର ଗୁରୁଚରଣ ଦାଶ । ଏହାରି ଭିତରେ କ୍ୟାମ୍ପ କରି ୧୨ ହଜାରରୁ ଊର୍ଦ୍ଧ୍ୱ ନିଃଶୁଳ୍କ ସେବା ଦେଇ ଅନେକ ଲୋକାଙ୍କ ପାଇଁ ଦରଦୀ ମଣିଷଟିଏ ପାଲଟି ଯାଇଛନ୍ତି ଦିଲ୍ଲୀପ । ଦୀର୍ଘ ଦୁଇ ସତକରୁ ଊର୍ଦ୍ଧ୍ୱ ନିରନ୍ତର ସେବା କରିବା ଭିତରେ ଯାହାକିଛି ଅନୁଭବ ହୋଇଛି ସେସବୁ ସାଉଁଟା କଥାକୁ ନେଇ ତିଆରି କରିଛନ୍ତି ତିନୋଟି କ୍ଷୁଦ୍ର ଚଳଚ୍ଚିତ୍ର ‘ବାପା’, ‘ମାଆ’ ଏବଂ ‘ସିନ୍ଦୁର’, ଯାହାକି ଦର୍ଶକମାନଙ୍କ ମଧ୍ୟରେ ବେଶ ଲୋକାଦୃତ ହୋଇଛି । ଏହି ତିନୋଟି କ୍ଷୁଦ୍ର ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ମାନସ ପରିଡା । ଏନକେବିଟି ବ୍ୟାନରରେ ପ୍ରସ୍ତୁତ ଏହି କ୍ଷୁଦ୍ର ଚଳଚ୍ଚିତ୍ର ଗୁଡିକ ପୁରସ୍କୃତ ହୋଇଛି ଏସିଆନ ଗୋଆ ଫିଲ୍ମ ଫେଷ୍ଟିଭାଲ ,ପୁନେ ସର୍ଟ ଫିଲ୍ମ ଫେଷ୍ଟିଭାଲ, ମୁମ୍ବାଇ ସର୍ଟ ଫିଲ୍ମ ଫେଷ୍ଟିଭଲ ଭଳି ଅନେକ ଚଳଚ୍ଚିତ୍ର ମହୋତ୍ସବରେ ।

 

ଏତଦ ବ୍ୟତୀତ ଦୁଇ ଯାଆଁଳା ଗ୍ରହଣ ଖଣ୍ଡିଆ ଆଦିବାସୀ ପିଲାଙ୍କୁ ନେଇ କରାଯାଇଛି ଏକ ପ୍ରାମାଣିକ ଚଳଚ୍ଚିତ୍ର “ହୋପ୍ପ” ।

ରାଜଧାନୀ ଭବନେଶ୍ୱରରର ରାହାଗିରି ଓ ପଥ ଉତ୍ସଵରେ ଦିଲ୍ଲୀପଙ୍କ ପରିକଳ୍ପିତ ଏନକେବିଟିର ଚିତ୍ରକାରମାନଙ୍କ ଦ୍ୱାରା ଥ୍ରୀଡି ରଙ୍ଗୋଲି । ଭୁବନେଶ୍ୱରବାସୀଙ୍କ ମନରେ ବେଶ ମନୋରଂଜନର ଖୋରାକ ଯୋଗାଇଥିଲା । ସମସ୍ତ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା।

ବର୍ତମାନ କୋଭିଡ-19 ର ସମୟ । ଏହି ସମୟରେ ଆଇସୋଲେସନରେ ଥିବା ପରିବାରକୁ ମାଗଣାରନ୍ଧା ଖାଦ୍ୟ ଯୋଗାଣ,ବସ୍ତିବାସିନ୍ଦା ଓ ମନ୍ଦିରର ପୂଜକମାନଙ୍କୁ ଶୁଖିଲା ଖାଦ୍ୟ ସମଗ୍ରୀ ଯୋଗାଇ ଦିଆଯାଇଛି । ତା’ ସାଙ୍ଗକୁ ମାଗଣା ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯାଉଛି । ସମାଜସେବୀ ଦିଲ୍ଲୀପ କୁହନ୍ତି- ”ଆଜିପର୍ଯ୍ୟନ୍ତ ଜଣା ଅଜଣା ୫୦ ରୁ ଊର୍ଦ୍ଧ୍ୱ ଶବକୁ କାନ୍ଧ ଦେବାର ସୁଯୋଗ ପାଇଛି । ଏହି କୋଭିଡ ସମୟରେ କିଛି ସମୟ ସତ୍ୟ ନଗର ଶ୍ମାଶନରେ ସମୟ ବିତେଇଛି ।”

କେହି କେହି ପଚାରିଲେ ଏତେ ସବୁ କାମ କରିବାକୁ ସମୟ ଏବଂ ଅର୍ଥ କେଉଁଠୁ ଯୋଗାଡ କରନ୍ତି । ଉତ୍ତରରେ ଅତି ସହଜ ଭାବରେ କୁହନ୍ତି ”ଇଚ୍ଛାଶକ୍ତି ଥିଲେ ଈଶ୍ୱର କେଉଁଠି ନା କେଉଁଠି କାହା ମାଧ୍ୟମରେ କରାଇ ନିଅନ୍ତି । ମୁଁ କେବଳ ଏକ ମାଧ୍ୟମ ମାତ୍ର । ବାକି ରହିଲା ସମୟ କଥା । ଏହା ହଁ ମୋର ଫୁଲ ଟାଇମ କର୍ମ ।”

ସେ ଆହୁରି ମଧ୍ୟ କୁହନ୍ତି, ”ଏ ଜୀବନକୁ ଭରସା ନାହିଁ । ଶେଷ ପ୍ରୋଜେକ୍ଟ ‘ୟୁନିଟି ରିଟ୍ରିଟ ” , ବୟସ୍କ ଲୋକମାନଙ୍କ ରହିବା ପାଇଁ ଏକ ନିର୍ମଳାଳୟ । ଭୁବନେଶ୍ୱର ଠାରୁ ୨୨ କି.ମି ଦୂର ଗିରିଙ୍ଗାପୁଟଠାରେ ଚାଲିଛି ଏହାର ନିର୍ମାଣ କାର୍ଯ୍ୟ । ଆଶା ଭରସା ଅଛି ପରମପିତା ଏହି କାମକୁ ମଞ୍ଜୁରୀ ଦେବେ ଏବଂ ପୂର୍ଣ୍ଣାଙ୍ଗ କରିବାରେ ସହାୟ ହେବେ ।”

ଯେଉଁ ମାନେ ସଂଘର୍ଷ କରି ସମାଜ ପାଇଁ କିଛି କରି ଜୀବନରେ ସଫଳ ହୋଇଛନ୍ତି ସେମାନଙ୍କୁ ପ୍ରେରଣା ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ୨୦୧୬ରୁ ଆରମ୍ବ କରିଛନ୍ତି ‘ନିର୍ମଳାକୃତି ସମ୍ମାନ’ । ପ୍ରତି ବର୍ଷ କିଛି ଯୋଗ୍ୟ ସମ୍ମାନୀୟ ବ୍ୟକ୍ତିଙ୍କୁ ମଞ୍ଚରେ ସମ୍ମାନିତ କରାଯାଏ ।

ବର୍ତ୍ତମାନ ବାପା, ମାଆ, ଧର୍ମପତ୍ନୀ ସୌମ୍ୟସ୍ମିତା,ପୁତ୍ର ଦୀପତେନ୍ଦୁ ,ଝିଅ ସ୍ୱସ୍ତିଦୀପାକୁ ନେଇ ତାଙ୍କ ସୁଖଦୁଃଖର ସଂସାର । ଦିଲ୍ଲୀପ କୁହନ୍ତି ”ତାଙ୍କର ବିରାଟ ପରିବାର, ଅନୁଷ୍ଠାନର ପ୍ରତ୍ୟେକଟି କର୍ମୀ ତାଙ୍କ ପରିବାରର ଜଣେ ଜଣେ ସଦସ୍ୟ । ସେବା କରିବାକୁ ହେଲେ ନିଜ ପରିବାର ପ୍ରତି ସାମାନ୍ୟ ନିଷ୍ଠୁର ନହେଲେ ସେବା କାର୍ଯ୍ୟ ଆଗକୁ ବଢି ପାରିବ ନାହିଁ । ହେଲେ ରାସ୍ତା ଭାରି କଣ୍ଟକିତ ,ତଥାପି ଅନେକ ଆନନ୍ଦ ଅଛି । ଶେଷ ଇଚ୍ଛା ଲୋକଙ୍କ ସେବା କରିବା ଭିତରେ ଜୀବନ ଚାଲିଯାଉ ।”

ଇଂଜିନିୟର ଦିଲ୍ଲୀପ ପଟ୍ଟନାୟକଙ୍କ ଭଳି ଅନେକ ବ୍ୟକ୍ତିତ୍ୱ ଏଠି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି, ଆମ ସମାଜପାଇଁ ପ୍ରେରଣାଦାୟୀ ସାଜିଛନ୍ତି । ସ୍ନେହ ଶ୍ରଦ୍ଧା ଆତ୍ମୀୟତାର ଶକ୍ତି ଆଗରେ ହାର ମାନିଛି ଅର୍ଥବଳ । ଦିଲ୍ଲୀପଙ୍କ ଭଳି ବିରଳ ବ୍ୟକ୍ତିତ୍ୱଙ୍କ ଉତ୍ତରୋତ୍ତର କାମନା କରିବା ସହ ସେ ଆଗକୁ ଆହୁରି ଏଭଳି ସେବା ଦେଇ ଦେଶ ତଥା ବିଦେଶରେ ସୁନାମ ଆଣନ୍ତୁ ଏତିକି ଆମର କାମନା ।

 

Related Articles

Leave a Reply

Your email address will not be published.

Back to top button